ରୁଷିଆକୁ ସମର୍ଥନ କରୁଥିବାରୁ ଚୀନ୍‌କୁ ଆମେରିକାର ଭର୍ତ୍ସନା

ୱାସିଂଟନ : ରୁଷିଆ ୟୁକ୍ରେନ୍‌କୁ ଆକ୍ରମଣ କରିବାକୁ ବସିଥିବା ବେଳେ ଚୀନ୍ ତାକୁ ସମର୍ଥନ କରି ୟୁରୋପ ସୁରକ୍ଷା ପରିସ୍ଥିତିକୁ ବିଗାଡ଼ିବା ଓ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଆମେରିକା ଅଭିଯୋଗ କରିଛି। ଚୀନ୍‌ର ଏଭଳି ନିଷ୍ପତ୍ତିକୁ ଆମେରିକା ଘୋର ନିନ୍ଦା କରିଛି। ସୋମବାର ଆମେରିକା କହିଛି ଯେ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍ ଆକ୍ରମଣ କରିବା ନେଇ ଅନ୍ତିମ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ବିଶ୍ବାସ କରିହେବ ନାହିଁ। ସାମାନ୍ୟ ବା ବିନା ଚେତାବନୀରେ ସେ ଆକ୍ରମଣ ଆରମ୍ଭ କରିଦେଇପାରନ୍ତି।

ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ମଙ୍ଗଳବାର ସଂକଟର ସମାଧାନ ଲାଗି କଥାବାର୍ତ୍ତା କରିବା ନିମନ୍ତେ ୟୁରୋପ ଯିବେ। ସେ ବ୍ରସେଲ୍‌ସଠାରେ ନାଟୋ ମୁଖ୍ୟାଳୟରେ ବୈଠକ କରିବେ। ତା’ପରେ ପୋଲାଣ୍ଡ ଓ ଲିଥୁନିଆ ଯିବେ, ଯେଉଁଠି ଆମେରିକା ଅଧିକ ୩୦୦୦ ସୈନ୍ୟ ମୁତୟନ କରିବାକୁ ମସୁଧା କରୁଛି। ବିଦେଶ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ବର୍ତ୍ତମାନ ରୁଷିଆ-ୟୁକ୍ରେନ୍ ସୀମାରେ ଉତ୍ତେଜନା ହ୍ରାସର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। କଥାବର୍ତ୍ତା ମାଧ୍ୟମରେ ସମାଧାନର ରାସ୍ତା ହୁଏତ ବାହାରିପାରେ।

ସମ୍ବନ୍ଧିତ ଖବର