ଓ୍ଵାସିଂଟନ : ଆମେରିକା କଂଗ୍ରେସରେ ଏକ ବିଲ୍ ପାଶ ହୋଇଛି । ଏହା ଦ୍ୱାରା ଭାରତ ଋଷିଆରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଭାରତ ଉପରେ କଟକଣା ଲାଗୁ ହେବ ନାହିଁ ।
ଋଷିଆ ସହ ଯେଉଁ ଦେଶମାନେ ସାମରିକ ସଂପର୍କ ରଖିଛନ୍ତି ବା ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ବିରୋଧରେ ଆମେରିକାର ସିଏଏଟିଏସଏ ଆଇନ ଅନୁସାରେ କଟକଣା ଲଗାଉଛି ଆମେରିକା । କିନ୍ତୁ ଭାରତ ପ୍ରତି କୋହଳତା ପ୍ରଦର୍ଶନ କରୁଛି ଆମେରିକା । କାରଣ ଭାରତ ଅଧିକ ଶକ୍ତିଶାଳୀ ହୋଇ ଚୀନକୁ ଟକ୍କର ଦେବା ଆମେରିକା ଚାହେଁ । ଏଥିପାଇଁ ଆମେରିକା କଂଗ୍ରେସକୁ ପ୍ରବର୍ତ୍ତାଉଛନ୍ତି ଟ୍ରମ୍ପ ସରକାର । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ’ ଆସିବା ପରେ ଭାରତର ଶକ୍ତି ବୃଦ୍ଧି ହେବ । ଏହା ଶତ୍ରୁପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ଋଷିଆ ପୂର୍ବରୁ ଏହାକୁ ଚୀନ ଓ ତୁର୍କୀକୁ ବିକି ସାରିଛି ।