ମାଡିଲ୍ (ଓକ୍ଲା): ସେପ୍ଟେମ୍ବର ୮ ତାରିଖ ରାତିରେ ଆମେରିକାର ଦକ୍ଷିଣ ଓକ୍ଲାହୋମାରେ ଗୋଟାଏ ଜଳନ୍ତା କାର୍ରୁ ଜଣେ ପୁଲିସ ଅଧିକାରୀ ଡ୍ରାଇଭର୍ଙ୍କୁ ଟାଣି ଆଣିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଅରଣ୍ୟାଞ୍ଚଳ ନିକଟ ରାସ୍ତାପାର୍ଶ୍ବରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ କାର୍ରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୧ଟା ବେଳେ ଖବର ପାଇ ମାଡିଲ୍ ପୁଲିସ ସର୍ଜେଣ୍ଟ୍ ଜେ. ଟି. ମୁର୍ ହାତରେ ‘ଫାୟାର୍ ଏକ୍ସଟିଙ୍ଗୁଇସର୍’ଟିଏ ଧରି କାର୍ ନିକଟକୁ ଧାଇଁ ଯାଇ ଦେଖିଲେ, ଭିତରେ ଡ୍ରାଇଭର୍ ରହିଯାଇଛନ୍ତି। ତୁରନ୍ତ ସେ ‘ଫାୟାର୍ ଏକ୍ସଟିଙ୍ଗୁଇସର୍’ଦ୍ବାରା କିଛି ପରିମାଣର ନିଆଁ ଲିଭାଇ ଦେଲେ।
ତା’ପରେ କାର୍ଟି ସମ୍ପୂର୍ଣ୍ଣ ନିଆଁରେ ପୋଡ଼ିଯିବା ଆଗରୁ ସର୍ଜେଣ୍ଟ୍ ମୁର୍ ଅବିଳମ୍ବେ କାର୍ ଭିତରୁ ଡ୍ରାଇଭର୍ଙ୍କୁ ବାହାର କରି ନିରପଦ ସ୍ଥାନକୁ ନେଇ ଯାଇଥିଲେ।
ସର୍ଜେଣ୍ଟ୍ ମୁର୍ଙ୍କର ଏହି ଦୁଃସାହିକ କାର୍ଯ୍ୟର ‘ଡ୍ୟାସ୍କ୍ୟାମ୍’ ଭିଡିଓକୁ ମାଡିଲ୍ ପୁଲିସ ବିଭାଗ ‘ଫେସ୍ବୁକ୍’ରେ ପୋଷ୍ଟ୍ କରି ସେୟାର୍ କରିଛି। ସେଥିରେ ଲେଖା ଅଛି: ଆମେ ସର୍ଜେଣ୍ଟ୍ ମୁର୍ଙ୍କ ଯୋଗୁଁ ଗୌରବାନ୍ବିତ କହିବା ଅତି ତୁଚ୍ଛ ବା ସାଧାରଣ କଥା ହେବ।
ଘଟଣାଟି ରବିବାର ରାତିରେ ଘଟିଥିଲା। ଅସାଧାରଣ ସାହସିକତା ପ୍ରଦର୍ଶନ କରି ଡ୍ରାଇଭର୍ଙ୍କ ଜୀବନ ରକ୍ଷା କରିବା ସହିତ ତାଙ୍କୁ ଟାଣି ଟାଣି ନିରାପଦ ସ୍ଥାନକୁ ନେଇଆସିଥିବା ସର୍ଜେଣ୍ଟ୍ ଜେ. ଟି. ମୁର୍ ଏବେ ପୁଲିସ ବିଭାଗର ପ୍ରଶଂସାର ପାତ୍ର ହୋଇଛନ୍ତି ବୋଲି ପୁଲିସ ବିଭାଗ କହିଛି।