ଓ୍ଵାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାରେ ରବିବାର ଦିନ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ନିକଟତର ହୋଇଛି। ପ୍ରାୟ ବର୍ଷେ ହେବ ରୋଗ ସଂକ୍ରମଣ କରାଉଥିବା ଏହି ଭୂତାଣୁ ଯୋଗୁଁ ଆମେରିକାରେ ପ୍ରାୟ ୪୯୮,୦୦୦ ସଂଖ୍ୟକ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ମୃତବ୍ୟକ୍ତିଙ୍କ ସଂଖ୍ୟା ମୋଟାମୋଟି କାନ୍ସାସ୍ ସହର ଓ ମିସୌରିର ସମୁଦାୟ ଜନସଂଖ୍ୟା ସହ ସମାନ। ଆଟ୍ଲାଣ୍ଟା ଆକାରର ଭୂଖଣ୍ଡରୁ ସାମାନ୍ୟ କମ୍ ଆକାରର ସ୍ଥାନରେ ଏତିକିସଂଖ୍ୟକ ଲୋକ ବସବାସ କରନ୍ତି।
ଜନ୍ସ୍ ହପ୍କିନ୍ସ୍ ବିଶ୍ୱବିଦ୍ୟାଳୟ ସଂଗ୍ରହ କରୁଥିବା ତଥ୍ୟାବଳୀରୁ ଉପରୋକ୍ତ ସଂଖ୍ୟା ଜଣାପଡ଼ିଛି। କୋଭିଡ୍-୧୯ ଯୋଗୁଁ ଯେତେ ଲୋକ ପ୍ରାଣ ହରାଇଲେ, ତାହା ୨୦୧୯ରେ ପୁରାତନ ଶ୍ୱାସପ୍ରଶ୍ୱାସ ରୋଗ, ହୃଦ୍ଘାତ, ଆଲ୍ଝିମର୍ ଓ ଫ୍ଲୁ ଓ ନିମୋନିଆରେ ମରିଥିବା ଲୋକସଂଖ୍ୟା ସହ ସମାନ।
ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚି ‘ସିଏନ୍ଏନ୍’କୁ କହିଛନ୍ତି, ୧୯୧୮ ମସିହାରେ ବ୍ୟାପିଥିବା ଇନ୍ଫ୍ଲୁଏଞ୍ଜା ମହାମାରୀ ପରେ ବିତିଯାଇଥିବା ୧୦୨ ବର୍ଷ ମଧ୍ୟରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ।
/sambad/media/post_attachments/wp-content/uploads/2021/02/af.jpg)
ଜାନୁଆରି ୧୯ରେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷରେ ପହଞ୍ଚିଥିଲା। ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏହି ଭୂତାଣୁ ସଂକ୍ରମଣ ମୁକାବିଲାରେ ବିଫଳ ହୋଇଥିଲେ ବୋଲି ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୨୦ ଫେବ୍ରୁଆରି ମାସରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାଣ୍ଟା କ୍ଲାରା କାଉଣ୍ଟିରେ ପ୍ରଥମେ ଏହି ଭୂତାଣୁଜନିତ ମୃତ୍ୟୁ ରିପୋର୍ଟ କରାଯାଇଥିଲା। ଏହାର ଚାରି ମାସ ପରେ ମୃତ୍ୟୁସଂଖ୍ୟା ୧ ଲକ୍ଷରେ ପହଞ୍ଚିଲା। ସେପ୍ଟେମ୍ବର ମାସରେ ତାହା ୨ ଲକ୍ଷରେ ପହଞ୍ଚି ଡିସେମ୍ବର ମାସରେ ୩ ଲକ୍ଷରେ ପହଞ୍ଚିଥିଲା। ତା’ପରେ ପ୍ରାୟ ଏକ ମାସରୁ ସାମାନ୍ୟ ଅଧିକ ସମୟ ଅବଧି ମଧ୍ୟରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପି ୫ ଲକ୍ଷ ହେବାକୁ ଯାଉଛି।