ନ୍ୟୁୟର୍କ: ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ କୋଭିଡ୍ ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସାରା ବିଶ୍ୱକୁ ଚମକାଇ ଦେଇଛି । ଏଥିପାଇଁ ବାଇଡେନ୍ ପ୍ରଶାସନ ୧.୯ ଟ୍ରିଲିଅନ୍ ଡଲାରର ସହାୟତା ପ୍ୟାକେଜ ଘୋଷଣା କରିଛି । ଭାରତୀୟ ମୁଦ୍ରା ହିସାବରେ ଏହାର ପରିମାଣ ପ୍ରାୟ ୧୪୦ ଲକ୍ଷ କୋଟି ଟଙ୍କା । ଆପଣ ଅନୁମାନ କରନ୍ତୁ ଆମ ଦେଶର ବାର୍ଷିକ ବଜେଟ୍ ପରିମାଣ ହେଉଛି ୨୬ ଲକ୍ଷ କୋଟି ଟଙ୍କା । କରୋନାର ମୁକାବିଲା ପାଇଁ ଆମେରିକାରର ବିଶାଳ ପ୍ୟାକେଜ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିଲରେ ଥିବା କେତେକ ପ୍ରମୁଖ ଦିଗ ଉପରେ ନଜର ପକାଇବା ..
• ବେରୋଜଗାର ବ୍ୟକ୍ତିଙ୍କୁ ପ୍ରତି ସପ୍ତାହରେ ୩୦୦ ଡଲାର ଅର୍ଥାତ ପ୍ରାୟ ୨୨ ହଜାର ଟଙ୍କାର ସହାୟତା ଦିଆଯିବ ।
• ପ୍ରତି ଆମେରିକୀୟ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ୧୪୦୦ ଡଲାର ବା ପ୍ରାୟ ୧ ଲକ୍ଷ ଟଙ୍କା ଦିଆଯିବ । ତେବେ ତାଙ୍କର ଆୟ ୮୦ ହଜାର ଡଲାରରୁ କମ୍ ରହିଥିବା ଆବଶ୍ୟକ ।
• କୋଭିଡ୍ ଟିକା ପ୍ରସ୍ତୁତି ଏବଂ ବିତରଣ ପାଇଁ ୨୦ ବିଲିଅନ୍ ଡଲାର ଅର୍ଥାତ ୧ଲକ୍ଷ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି ।
• ଟେଷ୍ଟ ଓ କଂଟ୍ରାକ୍ଟ ଟ୍ରେସିଂ ପାଇଁ ୫୦ ବିଲିଅନ୍ ଡଲାର ବା ୩ଲକ୍ଷ ୬୪ ହଜାର କୋଟି ଟଙ୍କା ରହିଛି ।
• ରେଷ୍ଟୁରାଂଟ ଗୁଡିକୁ ପ୍ରୋତ୍ସାହନ କରିବା ପାଇଁ ୩୦ ମିଲିଅନ୍ ଡଲାର ରଖାଯାଇଛି ।
• ସ୍କୁଲମାନଙ୍କ ପାଇଁ ୧୨୦ ମିଲିଅନ୍ ଡଲାରରୁ ଅଧିକ ଅର୍ଥ ରଖିଛନ୍ତି ବାଇଡେନ୍ ପ୍ରଶାସନ ।
ଏହାଛଡା ଅତିରିକ୍ତ ପୁଷ୍ଟିକର ଖାଦ୍ୟ ସହାୟତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟବୀମା, କର୍ମଚାରୀଙ୍କୁ ଛଟେଇରୁ ବଂଚାଇବା ପାଇଁ କମ୍ପାନିକୁ ସହାୟତା ପରି କେତେକ ବ୍ୟବସ୍ଥା ଏହି ଘୋଷଣାରେ ରହିଛି। ବିଶ୍ୱର ଅନେକ ଦେଶର ବାର୍ଷିକ ବଜେଟ୍ ଠାରୁ ବି ବେଶ୍ ଅଧିକ ବାଇଡେନଙ୍କ ଷ୍ଟିମୁଲସ୍ ପ୍ୟାକେଜ । ଆମେରିକା ତଥା ବିଶ୍ୱର ଏହା ସବୁଠାରୁ ବଡ ଘୋଷଣା ବୋଲି କୁହାଯାଉଛି ।