ୱାଶିଂଟନ: ପହଲଗାମ ଆକ୍ରମଣ ପାଇଁ ଦାୟୀ କରି ପାକିସ୍ତାନ ସମର୍ଥିତ "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ" (ଟିଆରଏଫ)କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଇଟି) ସହ ଜଡିତ ଟିଆରଏଫକୁ ଆମେରିକା ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଘୋଷଣା କରିଛି। ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଟିଆରଏଫ, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ପରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲା, ସେତେବେଳେ ଟିଆରଏଫ ନିଜ ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲା। ଏହା ପରେ ଭାରତ ସାରା ବିଶ୍ୱକୁ ନିଜର ପ୍ରତିନିଧିମାନଙ୍କୁ ପଠାଇଥିଲା, ଯେଉଁମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଦର୍ଶାଇଥିଲେ। ଏବେ ଆମେରିକାର ଏହି ପଦକ୍ଷେପ ଭାରତ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

Advertisment

ଗୁରୁବାର ଦିନ ଆମେରିକାର ବୈଦେଶିକ ବିଭାଗ ଏହି ଘୋଷଣା କରି ଏକ ବଡ଼ ବିବୃତି ଜାରି କରିଥିଲା। ବୈଦେଶିକ ସଚିବ ମାର୍କୋ ରୁବିଓ କହିଥିଲେ, 'ଏହି ପଦକ୍ଷେପ ଆତଙ୍କବାଦ ବିରୋଧରେ ଟ୍ରମ୍ପ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପହଲଗାମ ଆକ୍ରମଣ ଭାରତରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଟିଆରଏଫକୁ ଏଫଟିଓ ଘୋଷଣା କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। କାରଣ ଘଟଣା ଘଟିବା ସମୟରେ ସେ ଏହି ଆକ୍ରମଣ ପାଇଁ ନ୍ୟାୟ ମିଳିବା ବିଷୟରେ କହିଥିଲେ। ଆଉ ଆଜି ସେ ନ୍ୟାୟ ଦେଇଛନ୍ତି।'

ଟିଆରଏଫକୁ ଏଫଟିଓ ଭାବରେ ଘୋଷଣା କରିବା ଦ୍ୱାରା ଆତଙ୍କବାଦୀ ସଂଗଠନଗୁଡ଼ିକର ମେରୁଦଣ୍ଡ ଭାଙ୍ଗିବାରେ ସାହାଯ୍ୟ ମିଳିବ। ଟିଆରଏଫ ଆଉ ଆମେରିକାରେ କୌଣସି ଆର୍ଥିକ ସାହାଯ୍ୟ ପାଇପାରିବ ନାହିଁ। ସେମାନଙ୍କ ଉପରେ ଆର୍ଥିକ କଟକଣା ଲାଗୁ କରାଯିବ। ଆମେରିକାରେ ସେମାନଙ୍କର ସମ୍ପତ୍ତିକୁ ଜବତ କରାଯିବ। ଆମେରିକାରେ ଟିଆରଏଫ ସଦସ୍ୟ ଏବଂ ସମର୍ଥକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏହି ପଦକ୍ଷେପ ଭାରତକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫଏଟିଏଫ) ଭଳି ବିଶ୍ୱ ମଞ୍ଚରେ ପାକିସ୍ତାନ ବିରୋଧରେ ନିଜର ମତକୁ ଅଧିକ ଦୃଢ଼ ଭାବରେ ଉପସ୍ଥାପନ କରିବାର ସୁଯୋଗ ଦେବ। ଲସ୍କର-ଏ-ତୈବା ସହିତ ସମ୍ପର୍କ ସାମ୍ନାକୁ ଆସିଯିବାରୁ ଟିଆରଏଫର ସମସ୍ୟା ବୃଦ୍ଧି ପାଇବ।