ଡାନିଏଲ୍‌ ପର୍ଲ ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତି ଦେବା ଲାଗି ପାକିସ୍ତାନ ଅଦାଲତଙ୍କ ଆଦେଶ ଶୁଣି ଆମେରିକା ଉଦ୍‌ବିଗ୍ନ

ନୂଆଦିଲ୍ଲୀ: ଆମେରିକୀୟ ସାମ୍ବାଦିକ ଡାନିଏଲ୍‌ ପର୍ଲଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଆତଙ୍କବାଦୀଙ୍କୁ ମୁକ୍ତ କରିବା ଲାଗି ପାକିସ୍ତାନୀ ଅଦାଲତ ଦେଇଥିବା ଆଦେଶ ଖବର ପାଇ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଗଭୀର ଚିନ୍ତା ପ୍ରକଟ କରିଛି। ଶନିବାର ଦିନ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ମୁକ୍ତ କରାଯିବ।

କେତେଗୁଡ଼ିଏ ଟୁଇଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ କହିଛି, ଡାନିଏଲ୍‌ ପର୍ଲଙ୍କ ହତ୍ୟା ପାଇଁ ଦାୟୀ ଏକାଧିକ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ସିନ୍ଧ୍‌ ହାଇକୋର୍ଟ ଡିସେମ୍ବର ୨୪ ତାରିଖ ଦିନ ଦେଇଥିବା ରାୟ ସଂକ୍ରାନ୍ତ ଖବର ଶୁଣି ଆମେ ଖୁବ୍‌ ଚିନ୍ତିତ। ଏବେ ଅଭିଯୁକ୍ତମାନଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା।

Image Courtesy of Dawn

ଟୁଇଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ମାମଲା ଚାଲିଥିବା କଥା ଆମେ ବୁଝିପାରୁଛୁ ଏବଂ ଏ ବିଷୟରେ ଖବର ରଖିବୁ। ଅତ୍ୟନ୍ତ ଜଟିଳ ଏହି ନ୍ୟାୟିକ ପ୍ରକ୍ରିୟା ସମୟରେ ଆମେ ପର୍ଲଙ୍କ ପରିବାରକୁ ସହଯୋଗ କରୁଛୁ। ଜଣେ ସାହସିକ ସାମ୍ବାଦିକ ଭାବେ ଡାନିଏଲ୍‌ ପର୍ଲଙ୍କ ଅବଦାନକୁ ଆମେ ସମ୍ମାନ ଜଣାଉଛୁ।

ଅଲ୍‌-କାଏଦା ନେତା ଅହମଦ୍‌ ଓମାର୍‌ ସଇଦ ଶେଖ୍‌ ଏବଂ ତାଙ୍କ ତିନି ସହଯୋଗୀଙ୍କୁ ମୁକ୍ତ କରିବାକୁ ଗୁରୁବାର ଦିନ ସିନ୍ଧ୍‌ ହାଇକୋର୍ଟ ଆଦେଶ ଦେଇଥିଲେ। ସେମାନଙ୍କ ବିରୋଧରେ ଆଗତ ଡାନିଏଲ୍‌ ପର୍ଲଙ୍କ ହତ୍ୟା ମାମଲାକୁ ଦାଲତ ଖାରଜ କରିଛନ୍ତି।

ଓମାର୍‌ ଶେଖ୍‌ଙ୍କ ଛଡ଼ା, ତାଙ୍କର ଅନ୍ୟ ତିନି ସହଯୋଗୀ ଫହଦ ନସୀମ, ସଲ୍‌ମନ୍‌ ସାକ୍ୱିବ୍‌ ଏବଂ ଶେଖ ଆଦିଲ୍‌ଙ୍କୁ ମଧ୍ୟ ମୁକ୍ତ କରିବାକୁ ଅଦାଲତ ଆଦେଶ ଦେଇଥିଲେ। ଡାନିଏଲ୍‌ ପର୍ଲଙ୍କ ହତ୍ୟା ମାମଲାରେ ପୂର୍ବରୁ ଏହି ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଦିଆଯାଇଥିଲା।

୨୦୦୨ରେ ଅପହରଣ କରାଯାଇ ‘ଓ୍ଵାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ର ଦକ୍ଷିଣ ଏସୀୟ ବ୍ୟୁରୋ ମୁଖ୍ୟ ୩୮ ବର୍ଷିୟ ଡାନିଏଲ୍‌ ପର୍ଲଙ୍କ ମୁଣ୍ଡକାଟ ହୋଇଥିଲା। ସେତେବେଳେ ସେ ପାକିସ୍ତାନର କ୍ଷମତାଶାଳୀ ଗୁପ୍ତଚର ଏଜେନ୍ସି ‘ଆଇଏସ୍‌ଆଇ’ ଏବଂ ‘ଅଲ୍‌-କାଏଦା’ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧୀୟ ଏକ ସମ୍ବାଦର ତଦନ୍ତ କରୁଥିଲେ।

ସମ୍ବନ୍ଧିତ ଖବର