ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ

ନୂଆଦିଲ୍ଲୀ : ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ. ଅଷ୍ଟିନ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ନିଜର ଜାପାନ ଓ ଦକ୍ଷିଣ କୋରିଆ ଗସ୍ତ ସାରି ସେ ଭାରତରେ ପହଞ୍ଚିଛନ୍ତି ।

ନିଜର ଏହି ଗସ୍ତ କାଳରେ ସେ ଶନିବାରଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବେ । ଏହି ଅବସରରେ ଉଭୟ ପକ୍ଷ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଯଥା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବା ଇଣ୍ଡୋ ପାସିଫିକ ଅଞ୍ଚଳର ନିରାପତ୍ତା, ଚୀନର ବଢିଚାଲିଥିବା ଆଧିପତ୍ୟ, ଆଫଗାନିସ୍ତାନରେ ଯୁଦ୍ଧ ବିରତି ଓ ଶାନ୍ତିପ୍ରତିଷ୍ଠା ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ।

 

ଭାରତରେ ପହଞ୍ଚିବା ପରେ ସେ ଟ୍ବିଟ କରି ଲେଖିଛନ୍ତି ଯେ ଭାରତରେ ପହଞ୍ଚି ସେ ରୋମାଞ୍ଚିତ । ଦୁଇ ଦେଶମଧ୍ୟରେ ବଢିଚାଲିଥିବା ସହଯୋଗିତା ଆମ ପ୍ରତିରକ୍ଷା ଭାଗିଦାରିତାର ଗୁରୁତ୍ବକୁ ଦର୍ଶାଉଛି । ଇଣ୍ଡୋ ପାସିଫିକ ଅଂଚଳ ସମ୍ମୁଖୀନ ହେଉଥିବା ବିପଦକୁ ଦୂର କରିବାକୁ ଦୁଇଦେଶ କାମ କରିବେ ।

ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ସେ ଟ୍ରମ୍ପଙ୍କ ଇଣ୍ଡୋ-ପାସିଫିକ ନୀତିକୁ ଆଗେଇ ନେଉଥିବାର ସଂକେତ ପ୍ରଦାନ କରିଛନ୍ତି । କିଛିଦିନ ତଳେ ସେ ପ୍ରଥମ କ୍ବାଡ୍ ସମ୍ମିଳନୀରେ ଯୋଗ ଦେଇ ଏହି ସଂଗଠନର ଗୁରୁତ୍ବକୁ ପ୍ରମାଣିତ କରିଥିଲେ ।

ସମ୍ବନ୍ଧିତ ଖବର