ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ ଅଷ୍ଟିନ୍ ଆଜି ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ସେ ଭାରତ ସହ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନାରେ ଭାଗ ନେବେ। ସେ ପାଲମ ବିମାନବନ୍ଦରରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ସ୍ବାଗତ କରିଥିଲେ ଏବଂ ତାଙ୍କୁ ତିନି-ବାହିନୀ ଦ୍ବାରା ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ଆସନ୍ତାକାଲି ଅଷ୍ଟିନ୍ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ୨+୨ ମନ୍ତ୍ରିସ୍ତରୀୟ ବୈଠକରେ ସହ-ଅଧ୍ୟକ୍ଷତା କରିବେ, ଯେଉଁଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ। ଉଭୟ ଦେଶର ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ଉକ୍ତ ୨+୨ କଥାବାର୍ତ୍ତା ଓ ଦ୍ବିପାକ୍ଷିକ ଆଲୋଚନାରେ ବିଭିନ୍ନ ରଣନୈତିକ, ପ୍ରତିରକ୍ଷା ଓ ପ୍ରଯୁକ୍ତିଗତ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆଶା କରାଯାଏ। ଏହା ପୂର୍ବରୁ ଗତ ଜୁନ୍ ମାସରେ ଅଷ୍ଟିନ ଭାରତ ଗସ୍ତରେ ଆସିଥିଲେ। ଭାରତ-ଆମେରିକା ଭିତରେ ସହଯୋଗ ବୃଦ୍ଧିରେ ଏହି ଆଲୋଚନା ସହାୟକ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରିଛନ୍ତି।