ଋଷିଆଠାରୁ ଏସ-୪୦୦ କିଣିଲେ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକାର ପୁଣି ଧମକ

ନୂଆଦିଲ୍ଲୀ : ଋଷିଆଠାରୁ ଯଦି ଭାରତ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣେ ତେବେ ତାହାର ଖରାପ ପ୍ରଭାବ ଦୁଇଦେଶର ପ୍ରତିରକ୍ଷା ସମ୍ପର୍କ ଉପରେ ପଡିବ ବୋଲି ଆମେରିକା ଚେତାଇଦେଇଛି । ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ସଚିବ କହିଛନ୍ତି ଯେ ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଆମେରିକା କଟକଣା ଲଗାଇବାକୁ ବାଧ୍ୟ ହେବ ।

ତେବେ ଗତ ବର୍ଷ ଆମେରିକା ଭାରତପ୍ରତି କୋହଳ ମନୋଭାବ ଦେଖାଉଥିବାବେଳେ ଏଥର କାହିଁକି ବଦଳିଗଲା ? ଏ ସଂପର୍କରେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏସ-୪୦୦ କିଣିଥିବାରୁ ଆମେରିକା ଚୀନ ଓ ତୁର୍କୀ ଉପରେ କଟକଣା ଲଗାଇଛି । ଯଦି ଭାରତ ଉପରେ ନ ଲଗାଏ ତେବେ ବିଶ୍ୱରେ ଆମେରିକା ନିଜର ଭରଷା ହରାଇବ ।

ଗତ ବର୍ଷ ଅକ୍ଟୋବର ମାସରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତ କାଳରେ ୫ ସେଟ୍‌ ଏସ-୪୦୦ ଯୋଗାଣ ପାଇଁ ଭାରତ ଓ ଋଷିଆ ମଧ୍ୟରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୫.୪୩ ବିଲିୟନ ଡଲାର ବିନିମୟରେ ମୋଟ ୫ ଟି ରେଜିମେଣ୍ଟାଲ ସେଟ ଏସ-୪୦୦ କିଣିବ । ୨୦୨୦ ମସିହାରେ ଋଷିଆରୁ ପ୍ରଥମ ଏସ-୪୦୦ ମିଳିବ । ୨୦୨୧ରେ ୨ୟ ସେଟ ମିଳିବ । ତାପରବର୍ଷ ଆଉ ୩ଟି ମିଳିବ । ୨୦୨୩ରେ ୫ମ ସେଟ ଏସ-୪୦୦ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର