ୱାସିଂଟନ: ବୈଧ ଭିସା ଓ ଆବଶ୍ୟକ କାଗଜପତ୍ର ଥାଇ ମଧ୍ୟ ପାକିସ୍ତାନର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଆମେରିକାରେ ପ୍ରବେଶ କରିବାକୁ ମନା କରାଯାଇଛି ବୋଲି ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ‘ଦି ନ୍ୟୁଜ୍’ ରିପୋର୍ଟ କରିଛି। ତୁର୍କମେନିସ୍ତାନରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ କେକେ ଵାଗାନ ଲସ୍ ଏଞ୍ଜେଲସରେ ପହଞ୍ଚିବା ପରେ ତାଙ୍କୁ ଆମେରିକା ଇମିଗ୍ରେସନ ଅଟକାଇ ଫେରାଇ ଦେଇଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଜ୍ଞାତ ଅଧିକାରୀଙ୍କ ବୟାନ ଆଧାରରେ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରଦୂତଙ୍କର ଇମିଗ୍ରେସନ ଉପରେ ଆପତ୍ତି ଥିଲା।
ପାକିସ୍ତାନୀ କୂଟନୀତିଜ୍ଞ ଵାଗାନ ଲସ୍ ଏଞ୍ଜେଲସକୁ ବ୍ୟକ୍ତିଗତ ଗସ୍ତରେ ଯାଇଥିଲେ। ତାଙ୍କ ପାଖରେ ବୈଧ ଆମେରିକୀୟ ଭିସା ଓ ଅନ୍ୟାନ୍ୟ ଯାତ୍ରା କାଗଜପତ୍ର ଥିବା ରିପୋର୍ଟରେ କୁହାଯାଇଛି। କୂଟନୈତିକ ପ୍ରୋଟୋକଲକୁ ନେଇ ଚିନ୍ତା ପ୍ରକଟ କରି ଅଧିକାରୀମାନେ କହିଛନ୍ତି, ଲସ୍ ଏଞ୍ଜେଲସରେ ପହଞ୍ଚିବା ପରେ ଇମିଗ୍ରେସନ କର୍ତ୍ତୃପକ୍ଷ ୱାଗନଙ୍କୁ ଅଟକାଇଥିଲେ। କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକୀୟ ଅଧିକାରୀମାନେ ଵାଗନଙ୍କ ‘ବିବାଦୀୟ ଭିସା ରେଫରେନ୍ସ’ ଦର୍ଶାଇଥିଲେ ହେଁ ନିର୍ଦ୍ଦିଷ୍ଟ ଚିନ୍ତା ବିଷୟରେ ସ୍ପଷ୍ଟ କରିନାହାନ୍ତି। ଏହାପରେ ତାଙ୍କୁ ଲସ୍ ଆଞ୍ଜେଲସରେ ପହଞ୍ଚିଥିବା ସ୍ଥାନରୁ ଫେରିଯିବାକୁ କୁହାଯାଇଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସହାକ୍ ଡାର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ୱାଗାନଙ୍କୁ ଇସଲାମାବାଦ ଡକାଯିବାର ସମ୍ଭାବନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ଶୀଘ୍ର ଆମେରିକାରେ ପାକିସ୍ତାନୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଖବର ପ୍ରକାଶ ପାଇବା ପରେ ଏହି ଘଟଣା ଇସଲାମାବାଦ ପାଇଁ ଲଜ୍ଜାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/12/a9Ee8yJMPRsjyiUhRCzr.jpg)