ଆମେରିକାର ରହସ୍ୟମୟ ‘ଡ୍ରୋନ ଜାହାଜ’, ବିନା ସୈନିକରେ ସମୁଦ୍ରରେ କରିବ ରାଜ୍‌

ଓ୍ଵାସିଂଟନ: ଆମେରିକାର ପାଇଲଟ ବିହୀନ ଯୁଦ୍ଧ ବିମାନ ବା ଡ୍ରୋନ ପ୍ରିଡେଟରର ଜବାବ ବିଶ୍ୱର ଅନ୍ୟ କୌଣସି ଦେଶଙ୍କ ପାଖରେ ନାହିଁ । ଇସ୍ରାଏଲକୁ ଛାଡିଦେଲେ ଅନେକ ଦେଶ ଏହି ଟେକନଲୋଜୀରେ ସେତେଟା ଅଗ୍ରଗତି କରିନାହାନ୍ତି । ଏବେ ପାଣିରେ ଚାଲୁଥିବା ଡ୍ରୋନ ବାହାର କରଛି ଆମେରିକା । ଏହି ନୂଆ ଉଦ୍ଭାବନ ସହ ଆମେରିକୀୟ ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ନିଜର ସାମରିକ ଶକ୍ତିକୁ ଅପରାଜେୟ କରିବାକୁ ଲକ୍ଷ୍ୟ ରଖିଛି । ନିକଟରେ ଏହାକୁ ଆମେରିକା ନୌସେନାରେ ସାମିଲ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ପେଣ୍ଟାଗନର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡାର୍ପା ଦ୍ୱାରା ବିକଶିତ ଏହି ଡ୍ରୋନ ଜାହାଜର ନାଁ ରଖାଯାଇଛି ‘ସି ହଣ୍ଟର’ । ତେବେ ଏହାର ଟେକନିକାଲ ନାଁ ହେଉଛି ଆଣ୍ଟି ସବମେରିନ ଓ୍ଵାରଫେୟାର କଣ୍ଟିନିୟସ ଟ୍ରେଲ୍‌ ଅନମ୍ୟାନଡ୍‌ ଭେସେଲ ବା ଏସି-ଟୁଭ ।ଏହି ଜାହାଜରେ କେହି ମଣିଷ ରହିବା ଆବଶ୍ୟକ ନାହିଁ । ଚାଳକ ବିହୀନ ଏହି ଜାହାଜଟି ଥରେ ଇନ୍ଧନ ଭର୍ତ୍ତି କଲେ ପ୍ରାୟ ୮ ହଜାର କିଲୋମିଟର ଯାତ୍ରା କରିପାରିବ । ଶତ୍ରୁପକ୍ଷର ବୁଡ଼ାଜାହାଜ, ମାଇନ୍ସ, ଯୁଦ୍ଧଜାହଜକୁ ବହୁ ଆଗରୁ ଠାବ କରି ଏହା ଧ୍ୱଂସ କରିପାରିବ ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପ୍ରତିପତ୍ତିକୁ ହ୍ରାସ କରିବାକୁ ଚୀନ, ଋଷିଆ ପରି ଦେଶ ବିଗତ ଅନେକ ବର୍ଷ ହେଲା ଉଦ୍ୟମ କରିଚାଲିଛନ୍ତି । କିନ୍ତୁ ନିଜର ସୁପରପାଓ୍ଵାର ଆସନକୁ ସୁରକ୍ଷିତ ରଖିଆସିଛି ଆମେରିକା । ଆମେରିକା ମହାଶକ୍ତିଶାଳୀ ହେବାର ଏକ ବଡ଼ କାରଣ ହେଉଛି ଏହାର ଅତ୍ୟାଧୁନିକ ଟେକନଲୋଜୀ । ଟେକନଲୋଜୀ କ୍ଷେତ୍ରରେ ଆଜି ବି ଆମେରିକାର ସମକକ୍ଷ କେହି ନାହିଁ । ଏକଥା ଆଉ ଥରେ ପ୍ରମାଣିତ କରିଛି ଆମେରିକା ।

ସମ୍ବନ୍ଧିତ ଖବର