ନ୍ୟୁୟର୍କ: ଗତ ତିନିମାସ ଭିତରେ ଆମେରିକା ଅଧିକାରୀମାନେ ପ୍ରାୟ ୬ ଥର ଚୀନ୍ର ଉଚ୍ଚ ଅଧିକାରୀମାନଙ୍କୁ ଭେଟିଛନ୍ତି। ଉଦ୍ଦେଶ୍ୟ ଥିଲା, ଚୀନ୍ର ପ୍ରଭାବ ଦ୍ବାରା ୟୁକ୍ରେନ୍ ଆକ୍ରମଣ ନ କରିବା ପାଇଁ ରୁଷିଆକୁ ବୁଝାଇବା। ଏକ ରିପୋର୍ଟ ଅନୁସାରେ ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଚୀନ୍ କୂଟନୀତିଜ୍ଞମାନଙ୍କ ସହ ଘନଘନ ଉଚ୍ଚସ୍ତରୀୟ ବୈଠକ କରି ରୁଷିଆ କେମିତି ୟୁକ୍ରେନ୍ ଚାରିପଟେ ସୈନ୍ୟ ଠୁଳ କରୁଛି, ତା’ର ଗୁଇନ୍ଦା ସୂଚନା ଦେଇଥିଲେ। ଏଥି ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ପାଇଁ ରୁଷିଆକୁ ବୁଝାଇବାକୁ ତାଙ୍କୁ ଅନୁରୋଧ କରିଥିଲେ।
କିନ୍ତୁ ଚୀନ୍ ଅଧିକାରୀ ତଥା ବିଦେଶ ମନ୍ତ୍ରୀ ଏବଂ ଆମେରିକାରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ଆମେରିକାର ଏହି ଅନୁରୋଧକୁ ବେଖାତିର କଲେ ଏବଂ କହିଲେ ଯେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର କୌଣସି ସମ୍ଭାବନା ନାହିଁ। ବାଇଡେନ ପ୍ରଶାସନ ରୁଷିଆକୁ ନିବୃତ୍ତ କରାଇବା ପାଇଁ ବ୍ୟାକୁଳ ଥିଲା ଏବଂ ଚୀନ୍ ଦ୍ବାରା କାର୍ଯ୍ୟ ହାସଲ କରିବା ଲକ୍ଷ୍ୟରେ ଚୀନ୍କୁ ସବୁ ଗୁଇନ୍ଦା ତଥ୍ୟ ଦେଇଥିଲା। ଆଶା କରିଥିଲା ସି ଜିନ୍ପିଙ୍ଗ କିଛି ପଦକ୍ଷେପ ନେବେ। କିନ୍ତୁ ଚୀନ୍ ଓଲଟା ଚାଲ୍ ଖେଳିଲା। ଆମେରିକା ଦ୍ବାରା ପ୍ରଦତ୍ତ ସବୁ ଗୁଇନ୍ଦା ତଥ୍ୟ ମିଛ ଓ ରୁଷ୍ର କୌଣସି ଆକ୍ରମଣ ଯୋଜନା ନାହିଁ ବୋଲି କହି ଆମେରିକାର ଅନୁରୋଧକୁ ଏଡ଼ାଇଯିବା ସହ ସେହି ସବୁ ଗୁଇନ୍ଦା ତଥ୍ୟକୁ ମସ୍କୋକୁ ପଠାଇଦେଇଥିଲା।
ଏଥି ସହ ଚୀନ୍ ଓ ରୁଷିଆ ଭିତରେ ଆମେରିକା ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଏକ ବାର୍ତ୍ତା ମସ୍କୋକୁ ଦେଲା। ଗତ ନଭେମ୍ବର ୧୫ରେ ବାଇଡେନ-ଜିନ୍ପିଙ୍ଗ ଅନ୍ଲାଇନ୍ ବୈଠକ ପରେ ଏହି ସୂଚନା ଆଦାନପ୍ରଦାନ ଆରମ୍ଭ ହୋଇଥିଲା। ବାଇଡେନ ପ୍ରଶାସନ କୂଟନୈତିକ ତଥ୍ୟ ଚୀନ୍କୁ ଦେବା ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇଥିଲା। ପରେ ରୁଷ୍ ତା’ର ଆକ୍ରମଣାତ୍ମକ ଗତିବିଧି ବୃଦ୍ଧି କରିବା ପରେ ତା’ ବିରୋଧରେ ବାଣିଜ୍ୟିକ କଟକଣା ଲଗାଇବା ପାଇଁ ଚୀନ୍କୁ ଆମେରିକା ଅନୁରୋଧ କରିଥିଲା। କିନ୍ତୁ ଏହାଦ୍ବାରା ନିଜର ବହୁତ ଆର୍ଥିକ କ୍ଷତି ଘଟିବ କହି ଚୀନ୍ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।