ପ୍ରତିଶୋଧ ନେଲା ଆମେରିକା: ଆଇଏସ୍‌ଆଇଏସ୍‌-କେ’କୁ ଟା‌ର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ, ମାଷ୍ଟରମାଇଣ୍ଡ ନିପାତ

ନୂଆଦିଲ୍ଲୀ : କାବୁଲ ବିସ୍ଫୋରଣ ଘଟଣାରେ ଆମେରିକା ପ୍ରଥମ ପ୍ରତିଶୋଧ ନେଇଛି। କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଆଇଏସ୍‌-କେ (ଖୁରାସନ) ଆତଙ୍କବାଦୀଙ୍କ ଟାର୍ଗେଟ୍‌ କରି ଆମେରିକା ପୂର୍ବ ଆଫଗାନିସ୍ତାନରେ ଡ୍ରୋନ୍‌ ଆକ୍ରମଣ କରିଛି। ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ କାବୁଲର ନଙ୍ଗରହାରରେ ହୋଇଥିବା ଡ୍ରୋନ୍‌ ଆକ୍ରମଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ଏକ ଶିବିରକୁ ଛାରଖାର କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ନିପାତ ହୋଇଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ କହିଛି। ଆଗକୁ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଆଇଏସ୍‌ର ଏହି ସଂଚଳକ ଆଜିର ବିମାନ ଆକ୍ରମଣରେ ନିହତ ହୋଇଥିବା ନିଶ୍ଚିତ ବୋଲି ଆଫଗାନ-ଆମେରିକା କମାଣ୍ଡ୍‌ ସେଣ୍ଟର୍‌ ପକ୍ଷରୁ କୁହାଯାଇଛି ।

ପ୍ରଥମେ ନିହତ ହୋଇଥିବା ଆଇଏସ୍‌-କେ ସଦସ୍ୟ ଗତ ଗୁରୁବାର କାବୁଲ ବିମାନବନ୍ଦର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲା କି ନାହିଁ ତାହା ଜଣାପଡ଼ିନଥିଲା। ତେବେ ପରବର୍ତ୍ତୀ ସମୟରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ନିପାତ ହୋଇଥିବା ପେଣ୍ଟାଗନ କହିଛି। ପେଣ୍ଟାଗନ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଯେଉଁ ଟାର୍ଗେଟ୍‌କୁ ଆମେ ନଷ୍ଟ କରିବାକୁ ଯୋଜନା କରିଥିଲୁ ତାହା ଶତ ପ୍ରତିଶତ ସଫଳ ହୋଇଛି। ଆକ୍ରମଣରେ କୌଣସି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇ ନାହିଁ ବୋଲି କୁହାଯାଇଛି । ଆଜି ଆଫ୍‌ଗାନିସ୍ତାନରେ ଥିବା ଆମେରିକୀୟ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି। ବିମାନବନ୍ଦରର ୩ଟି ଗେଟ୍‌ ତୁରନ୍ତ ଛାଡ଼ିଦେବାପାଇଁ ଆାମରିକା ଏହାର ନାଗରିକଙ୍କୁ ସତର୍କ କରିଛି ଏବଂ କୌଣସି ସ୍ଥାନରେ ଭିଡ଼ ନକରିବାକୁ କହିଛି।

ରଏଟର୍ସ‌୍ ରିପୋର୍ଟ ଅନୁଯାୟୀ ଏକ ରିପର୍‌ ଡ୍ରୋନ୍‌ ମଧ୍ୟପ୍ରାଚ୍ୟରୁ ଉଡ଼ାଣ ଆରମ୍ଭ କରି ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀଙ୍କୁ ଟା‌ର୍ଗେଟ୍‌ କରିଥିଲା। ଏହି ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତାକାଲି ଅନୁମତି ଦେଇଥିଲେ। ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବାଇଡେନ୍‌ ଗତକାଲି କାବୁଲ ବିସ୍ଫୋରଣ ନେଇ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କାବୁଲ ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଘୋଷଣା କରିଥିଲେ। ଆଜି ଆମେରିକା କାବୁଲ ବିସ୍ଫୋରଣ ଘଟଣାର ପ୍ରଥମ ପ୍ରତିଶୋଧ ନେଇଛି। ବାଇଡେନ୍‌ କହିଥିଲେ ବିମାନବନ୍ଦର ବିସ୍ଫୋରଣ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଆମେ ସେମାନଙ୍କୁ ଖୋଜି ଖୋଜି ମାରିବୁ।

ସମ୍ବନ୍ଧିତ ଖବର