ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ନ୍ୟୁୟର୍କ, ନ୍ୟୁଜର୍ସି ଏବଂ ଭର୍ଜିନିଆରେ ମତଦାନ କେନ୍ଦ୍ର ଖୋଲିବା ସହ ଆରମ୍ଭ ହୋଇ ଯାଇଛି ‘ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା’। ଏହି ନିର୍ବାଚନ ଫଳାଫଳର ପୂର୍ବାନୁମାନକୁ ପ୍ରତିହତ କରି ପ୍ରତିଦ୍ବନ୍ଦ୍ବୀ ଜୋ’ ବାଇଡେନ୍ଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍।
କିନ୍ତୁ, ଆମେରିକୀୟ ଗଣତନ୍ତ୍ରର ପୁନଃସ୍ଥାପନ ନିମନ୍ତେ ଟ୍ରମ୍ପ୍ଙ୍କ ରାଜୁତିର ପରିସମାପ୍ତି ନିମନ୍ତେ ଆମେରିକୀୟମାନଙ୍କୁ ନିବେଦନ କରିଛନ୍ତି ପ୍ରତିଦ୍ବନ୍ଦ୍ବୀ ଜୋ’ ବାଇଡେନ୍। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରାୟ ସମସ୍ତ ‘ଓପିନିୟନ୍ ପୋଲ୍’ରେ ୭୭ ବର୍ଷିୟ ବାଇଡେନ୍ ଆଗୁଆ ଅଛନ୍ତି। ପ୍ରଚାର ସମୟରେ ତାଙ୍କର ବାର୍ତ୍ତା ଥିଲା ଆମେରିକା ତା’ର ‘ଆତ୍ମା’କୁ ପୁନଃସ୍ଥାପନ କରିବା ଆବଶ୍ୟକ। ୨୩୧,୦୦୦ ଲୋକଙ୍କ ଜୀବନ ନେଇଥିବା କରୋନାଭାଇରସ୍ ମହାମାରୀ ମଧ୍ୟରେ ଆମେରିକା ନୂତନ ନେତୃତ୍ବ ମଧ୍ୟ ଆବଶ୍ୟକ କରୁଛି।
କିନ୍ତୁ, ଟ୍ରମ୍ପ୍ ନିଜ ଉପରେ ଖୁବ୍ ଆସ୍ଥା ପ୍ରକଟ କରିବା ସହ ମିଚିଗାନ୍ରେ ସମବେତ ଜନତାଙ୍କୁ କହିଥିଲେ, ଆସନ୍ତାକାଲି ଆମର ପୁଣି ଗୋଟାଏ ସୁନ୍ଦର ବିଜୟ ହେବ। ସମବେତ ଜନତା କହିଥିଲେ, ଆମେ ଆପଣଙ୍କୁ ଶ୍ରଦ୍ଧା କରୁ, ଆମେ ଆପଣଙ୍କୁ ଶ୍ରଦ୍ଧା କରୁ! ଟ୍ରମ୍ପ୍ କହିଥିଲେ, ପୁଣି ଥରେ ଆମେ ଇତିହାସ ରଚିବାକୁ ଯାଉଛନ୍ତି।