କୋଭିଡ୍-୧୯ ସମ୍ବନ୍ଧୀୟ ଔଷଧପତ୍ର ଉପରୁ ‘ଆଇପିଆର୍‌’ ଛାଡ଼ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ଆମେରିକା ଓ ୟୁରୋପୀୟ ୟୁନିୟନ୍‌ର ବିରୋଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ସମ୍ବନ୍ଧୀୟ ଔ‌ଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରୁ ଅସ୍ଥାୟୀ ଭାବେ ‘ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌’ (ବୌଦ୍ଧିକ ସମ୍ପତ୍ତି ସତ୍ବ) ଛାଡ଼ କରିବାକୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ‌’ରେ ଭାରତ ଓ ଦକ୍ଷିଣ ଆଫ୍ରିକା ଆଗତ କରିଥିବା ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ, ଇଂଲଣ୍ଡ୍‌, ସ୍ବିଜର୍‌ଲାଣ୍ଡ୍‌ ଏବଂ ବ୍ରାଜିଲ୍ ସମର୍ଥନ କରିନାହାନ୍ତି।

କିନ୍ତୁ, ଚୀନ୍, ପାକିସ୍ତାନ, ଥାଇଲାଣ୍ଡ୍‌, ଇଣ୍ଡୋନେସିଆ ଏବଂ ତୁର୍କୀ ଭଳି କେତେକ ବିକାଶଶୀଳ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଏବେ ମଧ୍ୟ ବିଚାରାଧୀନ ଥିବା ଏହି ପ୍ରସ୍ତାବ ଏବର୍ଷ ଶେଷ ସୁଦ୍ଧା ‘ବିଶ୍ବ ବାଣିଜ୍ୟ ସଙ୍ଗଠନ‌’ର ‘ଟ୍ରିପ୍‌ କାଉନ୍‌ସିଲ୍‌’ଙ୍କ ମଞ୍ଜୁରି ପାଇବା ଆବଶ୍ୟକ। ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସମର୍ଥନ କରୁଛି। ଟୁଇଟ୍‌ କରି ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଲେଖିଥିଲା, କୋଭିଡ୍-୧୯ ଟିକା, ଚିକିତ୍ସା ଓ ପରୀକ୍ଷା ଉପରୁ ଆନ୍ତର୍ଜାତିକ ଏବଂ ବୌଦ୍ଧିକ ସମ୍ପତ୍ତି ରାଜିନାମା କୋହଳ କରିବା ନିମନ୍ତେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ‌’କୁ ଦେଇଥିବା ପ୍ରସ୍ତାବକୁ ‘ଡବ୍ଲୁଏଚ୍‌ଓ’ ସ୍ବାଗତ କରୁଛି। ଏହା ଫଳରେ ଏହି ଉପକରଣ ସବୁ ଆବଶ୍ୟକ କରୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିପାରିବ।

Image Courtesy of Stat

ଯଥା ଶୀଘ୍ର ସମ୍ଭବ ଏହି ପ୍ରସ୍ତାବ ‘ସାଧାରଣ ପରିଷଦ୍‌’କୁ ସୁପାରିସ କରାଯିବା ଉଚିତ ବୋଲି କେନିଆ ସମର୍ଥନରେ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ଦେଇଥିଲେ। କିନ୍ତୁ, ବିକଶିତ ଦେଶମାନେ ଏହାର ପ୍ରାସଙ୍ଗିକତା ଓ ଉପଯୋଗିତା ଉପରେ ସନ୍ଦେହ ପ୍ରକାଶ କରିଥିଲେ।

‘ସାଧାରଣ ପରିଷଦ୍‌’ ଯେତେ ବର୍ଷ ଲାଗି ରାଜି ହେବ ସେତେ ବର୍ଷ ଲାଗି ଏହି ଛାଡ଼ ବଳବତ୍ତର ରହିବ ବୋଲି ପ୍ରସ୍ତାବରେ ସୂଚାଇ ଦିଆଯାଇଥିଲା। ବ୍ୟାପକ ଟିକାକରଣ ଏବଂ ବିଶ୍ବ ଜନତା ରୋଗପ୍ରତିରୋଧକ ଶକ୍ତି ବିକଶିତ କରିବାଯାଏଁ ଏହି ଛାଡ଼ ଆଦେଶ କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ପ୍ରସ୍ତାବରେ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର