ନୂଆଦିଲ୍ଲୀ: ୟୁରୋପ୍ ଓ ଆମେରିକା ‘କ୍ରିଟିକାଲ୍ ର’ ମ୍ୟାଟେରିଆଲ୍’ (ଜରୁରୀ କଞ୍ଚାମାଲ୍) ରପ୍ତାନି ଉପରେ ନିଷେଧାଦେଶ ଜାରି କରିଥିବାରୁ ଦେଶରେ କୋଭିଡ୍ ଟିକା ଉତ୍ପାଦନ ପ୍ରଭାବିତ ହୋଇଥିବା କଥା ଆଜି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ମନ ହେଉଛି ନିଜେ ଯାଇ ଆମେରିକାରେ ପ୍ରତିବାଦ କରି କହନ୍ତି, ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ କୋଭାକ୍ସିନ୍ ଏବଂ ଅନ୍ୟାନ୍ୟ ଅନେକ ଟିକା ନିର୍ମାତାଙ୍କ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ୍ ସବୁ କାହିଁକି ଅଟକାଇ ରଖିଛ?
ସ୍ୱଳ୍ପ ସମୟ ମଧ୍ୟରେ ଆମେ ସେ ସବୁ ଆବଶ୍ୟକ କରୁଥିବାରୁ ଟିକା ଉତ୍ପାଦନ ଲାଗି ଅସୁବିଧାରେ ପଡୁଛୁ। ଛଅ ମାସ କି, ବର୍ଷେ ପରେ ଆମେ ଆଉ ତାଙ୍କ ଉପରେ ନିର୍ଭର କରିବୁ ନାହିଁ। କାରଣ, ସେତେବେଳକୁ ଆମେ ଅନ୍ୟ ଯୋଗାଣକାରୀ ବ୍ୟବସ୍ଥା କରି ସାରିଥିବୁ।
/sambad/media/post_attachments/wp-content/uploads/2021/04/adar1.jpg)
ନିମ୍ନ ମାନ ଓ ଅନ୍ୟାନ୍ୟ ଯୋଗାଣ କଟକଣା ଦୃଷ୍ଟିରୁ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଚୀନ୍ରୁ କଞ୍ଚାମାଲ୍ ଆମଦାନି କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସମ୍ପ୍ରତି ପ୍ରତିମାସରେ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍’ ୬ ରୁ ୬.୫ କୋଟି ଡୋଜ୍ ‘କୋଭିସିଲ୍ଡ୍’ ଉତ୍ପାଦନ କରୁଛି। ଏ ବର୍ଷ ଜୁନ୍ ସୁଦ୍ଧା ମାସକୁ ଟିକା ଉତ୍ପାଦନ ୧୦ ରୁ ୧୧ କୋଟି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି।
ବିଶ୍ୱର ସର୍ବ ବୃହତ୍ ଟିକା ନିର୍ମାତା ପୁଣେର ‘ଏସ୍ଆଇଆଇ’ ‘ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା’ ବିକଶିତ କରିଥିବା କୋଭିଡ୍-୧୯ ଟିକା ଉତ୍ପାଦନ କରୁଛି। ଭାରତରେ ଏହି ଟିକା ‘କୋଭିସିଲ୍ଡ୍’ ନାମରେ ବିକ୍ରୟ ହେଉଛି।