ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନାଟୋର ସଂପ୍ରସାରଣ କରୁଛି ଆମେରିକା : ଚୀନ

ବେଜିଂ : ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନାଟୋର ସଂପ୍ରସାରଣ କରୁଛି । ବାରମ୍ବାର ତାଇଓ୍ବାନ ପ୍ରସଙ୍ଗକୁ ଉଠାଇ ଚୀନର ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି ଚୀନର ଉପ ବୈଦେଶିକ ମନ୍ତ୍ରୀ ଲି ୟୁଚେଙ୍ଗ କହିଛନ୍ତି ।  ଆମେରିକା ଚୀନର ଲାଲ ରେଖା ଟପିବାକୁ ଉଦ୍ୟମ କରୁଛି ବୋଲି ସେ ଚେତାଇଦେଇଛନ୍ତି ।

ଏକ ଅନଲାଇନ କୂଟନୈତିକ ଆଲୋଚନାଚକ୍ରରେ ଯୋଗ ଦେଇ ସେ କହିଛନ୍ତି ଯେ ବିଗତ କିଛି ବର୍ଷ ହେଲା ଆମେରିକା ଚୀନର ଦ୍ବାରଦେଶରେ ପହଞ୍ଚି ଶକ୍ତିପ୍ରଦର୍ଶନ କରିଚାଲିଛି । ଚୀନ ବିରୋଧରେ ମେଣ୍ଟ ଗଠନ କରୁଛି ଓ ଚୀନର ଧୈର୍ଯ୍ୟ ପରୀକ୍ଷା ପାଇଁ ବାରମ୍ବାର ତାଇଓ୍ବାନ କଥା ଉଠାଉଛି ।

ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନାଟୋର ସଂପ୍ରସାରଣ ନୁହେଁ ତ ଆଉ କ’ଣ ? ଏହାକୁ ଯଦି ରୋକାନଯାଏ, ତେବେ ଆଗକୁ ଏ ଅଂଚଳ ପାଇଁ ବିନାଶ ଅବଶ୍ୟମ୍ଭାବୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବ ୟୁରୋପରେ ନାଟୋର ସଂପ୍ରସାରଣକୁ ନେଇ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ଏଥିରେ ଅନୁପ୍ରାଣିତ ହୋଇ ଚୀନ ମଧ୍ୟ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି । ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି ।

 

 

ସମ୍ବନ୍ଧିତ ଖବର