ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରୁଛି। ସବୁ ବୟସର ଲୋକମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ଏହି ସମୟରେ, ପିଲାମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମଣର ଶିକାର ହେଉଛନ୍ତି। ଏ ମଧ୍ୟରେ ପିଲାମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ପ୍ରଥମ କରୋନା ଟିକାକରଣ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଆମେରିକା | ୧୨-୧୫ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ଦେଇଛି ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) |
ଫେଡେରାଲ ଟିକା ପରାମର୍ଶଦାତା କମିଟି ସୁପାରିଶ କରିବା ମାତ୍ରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡିଛି | ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସବୁ ବୟସର ପିଲାମାନଙ୍କୁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ | ବିଶ୍ୱବ୍ୟାପୀ ଚାଲୁଥିବା ଅଧିକାଂଶ କୋଭିଡ-୧୯ ଟିକା ବୟସ୍କମାନଙ୍କ ପାଇଁ ଅନୁମତିପ୍ରାପ୍ତ | ୧୬ ବର୍ଷରୁ କମ୍ ବୟସର କିଶୋରମାନଙ୍କ ପାଇଁ ଏକାଧିକ ଦେଶରେ ଫାଇଜର ଟିକା ବ୍ୟବହାର କରାଯାଉଛି ଏବଂ ନିକଟରେ କାନାଡା ପ୍ରଥମ କରି ୧୨ରୁ ଉର୍ଧ୍ଵଙ୍କୁ ଟିକା ଦେବା ଆରମ୍ଭ କରିଛି | ଏବେ ଆମେରିକା ମଧ୍ୟ ୧୨-୧୫ବର୍ଷର ପିଲାଙ୍କୁ ଟିକା ଦେବାକୁ ଯାଉଛି | ଏଫଡିଏର ଅନୁମତି ପରେ ଅଭିଭାବକ, ବିଦ୍ୟାଳୟର ପ୍ରଶାସକ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି |