୬୦ ଋଷିଆ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

ଓ୍ଵାସିଂଟନ : ଋଷିଆ ଓ ଆମେରିକା ମାଧ୍ୟରେ ଚାଲିଥିବା କୂଟନୈତିକ ଯୁଦ୍ଧ ଆହୁରି ତୀବ୍ର ହୋଇଛି । ଋଷିଆ ବିରୋଧରେ ଏକ କଡା ପଦକ୍ଷେପ ଗ୍ରହଣ କରି ଆମେରିକା ପ୍ରାୟ ୬୦ ଜଣ ଋଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ଏହି ୬୦ ଜଣଙ୍କ ମଧ୍ୟରେ ପ୍ରାୟ ୧୨ ଜଣ ଜାତିସଂଘରେ ଅବସ୍ଥାପିତ ଥିଲେ । ୭ ଦିନ ମଧ୍ୟରେ ଆମେରିକା ଛାଡିବାକୁ ସେମାନଙ୍କୁ କୁହାଯାଇଛି । ଏହାସହିତ ସିଆଟଲ ସ୍ଥିତ ଋଷିଆର ବାଣିଜ୍ୟିକ ଦୂତାବାସ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଋଷିଆର ଏହି କୂଟନିତିଜ୍ଞମାନେ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିଲେ ବୋଲି ଆମେରିକା ଅଭିଯୋଗ କରିଛି । ସିଆଟଲରେ ଆମେରିକାର ନୌସେନା ଘାଟି ଥିବାରୁ ଋଷିଆର ବାଣିଜ୍ୟିକ ଦୂତାବାସ ରହିବା ବିପଦପୂର୍ଣ୍ଣ ବୋଲି ଆମେରିକା ମନେ କରୁଛି ।

କେବଳ ଆମେରିକା ନୁହେଁ ସମଗ୍ର ପାଶ୍ଚାତ୍ୟ ଦେଶମାନଙ୍କ ସହ ଋଷିଆର ସଂପର୍କ ଖରାପ ହୋଇଛି । ବ୍ରିଟେନରେ ଜଣେ ପୂର୍ବତନ ଗୁପ୍ତଚରଙ୍କୁ ଗୋପନରେ ହତ୍ୟା କରିବା ମାମଲାରେ ବ୍ରିଟେନ ସମେତ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ସହ ଋଷିଆର ସମ୍ପର୍କ ଖରାପ ହୋଇଛି । ଏହା ପୂର୍ବରୁ ବ୍ରିଟେନ ମଧ୍ୟ ପ୍ରାୟ ୨୩ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିସାରିଛି । ଏହାର ଜବାବରେ ଋଷିଆ ମଧ୍ୟ ସମାନ ସଂଖ୍ୟକ କୂଟନିତିଜ୍ଞଙ୍କୁ ବହିଷ୍କାର କରିଛି ।

ସମ୍ବନ୍ଧିତ ଖବର