ଦକ୍ଷିଣ ଚୀନ ସାଗରରେ ଆମେରିକୀୟ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଚୀନ ହାତ ଅଛି କି ?

ମାନିଲା : ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଥିବା ଆମେରିକୀୟ ଯୁଦ୍ଧ ପୋତରେ ଏକ ଦୁର୍ଘଟଣା ଘଟିଛି । ଏକ ଏଫ-୩୫ ଲଢୁଆ ବିମାନ ଓହ୍ଲାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ୭ ଜଣ ନୌସେନା କର୍ମଚାରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆମେରିକୀୟ ପାସିଫିକ୍ ଫ୍ଲିଟ୍ ଅଧିନସ୍ଥ ବିମାନବାହୀ ଯୁଦ୍ଧ ପୋତ ୟୁଏସଏସ କାର୍ଲ ଭିନସନରେ ଏକ ଏଫ-୩୫ସି  ଓହ୍ଲାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ବିମାନଟି ନିଜର ନିୟମିତ ଉଡ଼ାଣ ପରିକ୍ରମା ପରେ ଓହ୍ଲାଉଥିଲା । ଏହି ଘଟଣାରେ ୭ ଜଣ ନୌସେନା କର୍ମଚାରୀ ଆହତ ହୋଇଛନ୍ତି । ମାତ୍ର ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ବାହାରି ଯାଇଥିଲେ । ତାଙ୍କୁ ଆମେରିକୀୟ ନୌସେନାର ଏକ ହେଲିକପ୍ଟର ଉଦ୍ଧାର କରିଥିଲା ।

ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଚୀନର ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିଲେ ବି ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ ।

ଆହତ ୭ ଜଣ ନୌସେନା କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫିଲିପାଇନ୍ସର ରାଜଧାନୀ ମାନିଲା ସ୍ଥିତ ଏକ ମିଲିଟାରୀ ହସପିଟାଲକୁ ପଠାଯାଇଛି । ଅନ୍ୟ କର୍ମଚାରୀମାନଙ୍କୁ ଜାହାଜରେ ଚିକିତ୍ସା କରାଯାଉଛି ।

ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଅଞ୍ଚଳ ବୋଲି କହୁଥିବାବେଳେ ଏହା ଏକ ଅନ୍ତର୍ଜାତୀୟ ଅଞ୍ଚଳ ବୋଲି ଆମେରିକା ସମେତ ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନେ କହୁଛନ୍ତି । ଏହି କାରଣରୁ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଆମେରିକୀୟ ଯୁଦ୍ଧ ଜାହାଜମାନେ ନିୟମିତ ପଇଁତଲା ମାରୁଛନ୍ତି । ମାତ୍ର ଚୀନ ଏହାକୁ ବିରୋଧ କରୁଛି ।

 

 

 

ସମ୍ବନ୍ଧିତ ଖବର