ଅଟାୱା: କାନଡା ଆକାଶରେ ଉଡୁଥିବା ଗୋଟାଏ ସିଲିଣ୍ଡର୍ ଆକୃତିର ଅଜଣା ବସ୍ତୁକୁ ଶନିବାର ଦିନ ଆମେରିକୀୟ ଲଢୁଆ ବିମାନ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଥିବା କଥା କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ କହିଛନ୍ତି।
ଅଜ୍ଞାନ୍ତ ବସ୍ତୁଟି ଦେଶର ଉତ୍ତରଭାଗ ଅନ୍ତର୍ଗତ ୟୁକୋନ୍ ଅଞ୍ଚଳର ଆକାଶରେ ଉଡୁଥିଲା। କାନଡୀୟ ସେନା ଉକ୍ତ ବସ୍ତୁର ଭଗ୍ନାଂଶ ସବୁ ସଂଗ୍ରହ କରି ବିଶ୍ଳେଷଣ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁ କହିଛନ୍ତି।
ଟ୍ରୁଡ୍ୟୁ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସଂକ୍ରାନ୍ତରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହିତ କଥାବାର୍ତ୍ତା କରିଛନ୍ତି।
ଘଟଣା ବିଷୟରେ ଟୁଇଟ୍ କରି ଶନିବାର ଦିନ ଜଷ୍ଟିନ୍ ଟ୍ରୁଡ୍ୟୁ ଲେଖିଛନ୍ତି, ଘଟଣାସ୍ଥଳକୁ କାନଡୀୟ ଏବଂ ଆମେରିକୀୟ ଲଢୁଆ ବିମାନଗୁଡ଼ିକୁ ପଠାଯାଇଥିଲା। ଆମେରିକାର ‘ଏଫ୍-୨୨’ ଲଢୁଆ ବିମାନ କ୍ଷେପଣାସ୍ତ୍ର ପ୍ରୟୋଗ କରି ଉକ୍ତ ବସ୍ତୁଟିକୁ ଖସାଇବାରେ ସଫଳ ହୋଇଛି।
ସେହିପରି, କାନଡାର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍ ଅଷ୍ଟିନ୍ଙ୍କ ସହିତ ଏ ବିଷୟରେ ଆଲୋଚନା କରିଛନ୍ତି। କାନଡୀୟ ପ୍ରତିରକ୍ଷା ମନ୍ତ୍ରୀ ଅନୀତା ଆନନ୍ଦ ଟୁଇଟ୍ କରି ଲେଖିଛନ୍ତି: ମିଳିତ ଭାବେ ଆମେ ଆମ ସାର୍ବଭୌମତ୍ତ୍ବ ରକ୍ଷା କରିବୁ ବୋଲି ଦୁହେଁ ପୁଣି ଥରେ ଦୃଢ଼ତାର ସହିତ କହିଛୁ।
ଆମେରିକାର ପ୍ରତିରକ୍ଷା ବିଭାଗ କହିଛି, ବସ୍ତୁଟିର ମୁକାବିଲା କରିବା ଲାଗି ଆମେରିକା ଓ କାନଡାର ଲଢୁଆ ବିମାନ ସବୁ ଏକତ୍ର ଉଡ଼ିଯାଇଥିଲେ। ପେଣ୍ଟାଗନ୍ର ମୁଖପାତ୍ର ପ୍ୟାଟ୍ ରାଇଡର୍ ଜାରି କରିଥିବା ବିବୃତିରେ କହିଛନ୍ତି, କାନଡାର ଉତ୍ତରାଞ୍ଚଳର ସୁଉଚ୍ଚ ଆକାଶରେ ଉଡୁଥିବା ବସ୍ତୁଟିକୁ ବିସ୍ଫୋରକ ମାରି ଖସାଇବା ନିମନ୍ତେ କାନଡା ସହିତ ମିଶି କାମ କରିବା ଲାଗି ଆଜି ରାଷ୍ଟ୍ରପତି ବାଇଡେନ୍ ‘ନର୍ଥ ଆମେରିକାନ୍ ଏରେସ୍ପେସ୍ ଡିଫେନ୍ସ୍ କମାଣ୍ଡ୍’କୁ ପ୍ରଦତ୍ତ ଆମେରିକୀୟ ଲଢୁଆ ବିମାନକୁ ସ୍ବୀକୃତି ଦେଇଥିଲେ।
ଉଡ଼ନ୍ତା ବସ୍ତୁଟିର ଗତିବିଧି ଲକ୍ଷ୍ୟ କରୁଥିବା ଦୁଇଟି ‘ଏଫ୍-୨୨’ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ବିମାନ ‘ଏମ୍୯ଏକ୍ସ’ କ୍ଷେପଣାସ୍ତ୍ର ପ୍ରୟୋଗ କରି ତାହାକୁ ତଳକୁ ଖସାଇ ଦେଇଥିବା କଥା ଉକ୍ତ ବିବୃତିରେ ଉଲ୍ଲେଖ ଅଛି।