ପାକିସ୍ତାନ ଆମକୁ ଭକୁଆ ଭାବି ଠକି ଚାଲିଛି : ଟ୍ରମ୍ପ୍‌

ଓ୍ଵାସିଂଟନ: ପାକିସ୍ତାନକୁ ଆମେରିକାର ନୂଆବର୍ଷ ଉପହାର । ବର୍ଷର ପ୍ରଥମ ଦିନରେ ହିଁ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆତଙ୍କବାଦ ବିରୋଧରେ ସେଭଳି କୌଣସି ପଦକ୍ଷେର ନେଉ ନ ଥିବାରୁ ପାକିସ୍ତାନକୁ ଆଉ କୌଣସି ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି ।

“ଆମେରିକା ଗତ ୧୫ ବର୍ଷ ହେଲା ପାକିସ୍ତାନକୁ ପ୍ରାୟ ୩୩ ବିଲିୟନ ଡଲାର ଆର୍ଥିକ ସହାୟତା ଦେଇଛି । କିନ୍ତୁ ଏହି ଦେଶ ଆମ ନେତାମାନଙ୍କୁ ଭକୁଆ ବୋଲି ଭାବି ଆମକୁ କେବଳ ମିଛ ଓ ଛଳନା ହିଁ ଦେଇଚାଲିଛି । ଆମେ ଆଫଗାନିସ୍ତାନରେ ଯେଉଁମାନଙ୍କ ବିରୋଧରେ ଲଢେଇ କରୁଛୁ ସେମାନଙ୍କୁ ପାକିସ୍ତାନ ସୁରକ୍ଷା ଦେଉଛି । ବହୁତ ହୋଇଗଲା ଆଉ ନୁହେଁ…” ଟ୍ଵିଟରରେ ଲେଖିଛନ୍ତି ଟ୍ରମ୍ପ ।

ପାକିସ୍ତାନ ବିରୋଧରେ ଆମେରିକାର ଏହା ଏକ କଠୋର ପଦକ୍ଷେପ ବୋଲି ବିଚାର କରାଯାଉଛି । ଗତ ସେପ୍ଚେମ୍ବର ମାସରେ ନିଜର ଦକ୍ଷିଣ ଏସିଆ ନୀତି ଘୋଷଣା କଲା ବେଳେ ପାକିସ୍ତାନ ନ ସୁଧୁରିଲେ, ଦୃଢ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ ଟ୍ରମ୍ପ ।

ଗତ ଶୁକ୍ରବାରଦିନ ଆମେରିକା ପାକିସ୍ତାନକୁ ପ୍ରାୟ ୨୨୫ ନିୟୁତ ଡଲାରର ସାମରିକ ସହାୟତା ବନ୍ଦ କରିବାକୁ ସଂକେତ ଦେଇଥିଲା । ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହି ସହାୟତା ବନ୍ଦ କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର