ୱାସିଂଟନ ଡିସି: ଜାରି ରହିଛି ଅପରେସନ, ବଢୁଛି ମୃତ୍ୟୁ ସଂଖ୍ୟା । ଯୁଦ୍ଧର ସ୍ଥିତି କମିବାରେ ନାଁ ନେଉନାହିଁ  । ଶକ୍ତିଶାଳୀ ବୋମାମାଡ କରି ହୁତି ଶିବିରକୁ ବିଧ୍ବସ୍ତ କରୁଛି ଆମେରିକା  ।  ଏଥିସହ ୟେମେନର ମୁଖ୍ୟଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଯଦି ସହାୟତା ବନ୍ଦ ନହୁଏ ଆଗକୁ ସ୍ଥିତି ଭୟଙ୍କର ହେବ ।  ସୁଚନା ଅନୁଯାୟୀ ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ  ଆଡ୍ଡା  ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କରିଛି ।

Advertisment

ଶକ୍ତିଶାଳୀ ବୋମାମାଡ଼ରେ ହୁତି ଶିବିର ଓ କମାଣ୍ଡ ସେଣ୍ଟର ଗତକାଲି ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଏଯାଏଁ ୫୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ଏବଂ ୨ ଶିଶୁ ରହିଛନ୍ତି । ହୁତି ଆତଙ୍କବାଦୀମାନେ ଯଦି ଇରାନ ସମର୍ଥନରେ ସେମାନଙ୍କ ହିଂସା ଜାରି ରଖନ୍ତି, 

ତା’ହେଲେ ସେମାନଙ୍କ ଉପରେ ଆହୁରି ଭୟାନକ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆଜି ଚେତାବନୀ ଦେଇଛନ୍ତି । ହୁତିର ମୁଖ୍ୟ ସମର୍ଥକ ଇରାନକୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯେ ଇରାନ ତୁରନ୍ତ ଏହି ଆତଙ୍କୀ ସଂଗଠନକୁ ସହାୟତା ବନ୍ଦ ନକଲେ ପରିଣାମ ଭୋଗିବାକୁ ବାଧ୍ୟ ହେବ । 

ସେ ସତର୍କ କରାଇ ଦେଇଛନ୍ତି ଯେ ଆମେରିକା ପ୍ରତି କୌଣସି ବିପଦ ଆସିଲେ ଏହାର ଗମ୍ଭୀର ପରିଣାମ ହେବ ଏବଂ କୌଣସି ଶତ୍ରୁ ଏଥିରୁ ନିସ୍ତାର ପାଇବେ ନାହିଁ  । ସମସ୍ତ ହୁତି ଆତଙ୍କବାଦୀଙ୍କ ପାଇଁ ସମୟ ସରିଯାଇଛି ଏବଂ ସେମାନଙ୍କୁ ଆଜିଠାରୁ ଆକ୍ରମଣ ବନ୍ଦ କରିବାକୁ ହେବ । ଯଦି ସେମାନେ ଏହା ନ କରନ୍ତି, ତା’ହେଲେ ସେମାନେ କେବେ ଦେଖିନଥିବା ଭୟାନକ ଆକ୍ରମଣକୁ ସାମ୍ନା କରିବେ ବୋଲି ଟ୍ରମ୍ପ କହିଛନ୍ତି  ।

ଜାନୁଆରିରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକାର ସାମରିକ ଅଭିଯାନ ବ୍ୟାପକ ହୋଇଛି । ପରମାଣୁ ଆଲୋଚନା ପାଇଁ ତେହେରାନ ଉପରେ ଚାପ ପକାଇବା ପାଇଁ ଆମେରିକା ନିଜ ଆର୍ଥିକ କଟକଣାକୁ ଜୋରଦାର କରିଥିବା ବେଳେ ହୁତି ଉପରେ ଏଭଳି ପ୍ରଚଣ୍ଡ ଆକ୍ରମଣ ମଧ୍ୟପ୍ରାଚ୍ୟ ଉତ୍ତେନାକୁ ବଢ଼ାଇ ଦେଇଛି । 

ଅନ୍ୟପକ୍ଷରେ ହୁତି ସଂଗଠନର ରାଜନୈତିକ ବ୍ୟୁରୋ ଆମେରିକାର ଆକ୍ରମଣକୁ ‘ଯୁଦ୍ଧ ଅପରାଧ’ ବୋଲି ବର୍ଣ୍ଣନା କରିଛି ।  ସୂଚନାଯୋଗ୍ୟ, ଆମେରିକୀୟ ଜାହାଜ ଉପରେ ହୁତି ବିଦ୍ରୋହୀମାନେ ଲଗାତାର ଆକ୍ରମଣ କରୁଥିବାରୁ ଏହା ବିରୋଧରେ ଏବେ ଆମେରିକାର ସାମାରିକ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି ।