ନୂଆଦିଲ୍ଲୀ: ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକାରେ ଏବେ ବନ୍ଦ ଲାଗୁ ହୋଇଥିବା ଜଣାପଡ଼ିଛି। ଏହାର କାରଣ ହେଉଛି ସେନେଟରେ ରିପବ୍ଲିକାନ୍ କିମ୍ବା ଡେମୋକ୍ରାଟଙ୍କ ପାଣ୍ଠି ବିଲ୍ ପାସ୍ ନହୋଇପାରିବା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳକୁ ସେନେଟରେ ଏକ ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ କରିବା ପାଇଁ ଅତି କମରେ ୬୦ଭୋଟ୍ ଆବଶ୍ୟକ ଥିଲା, କିନ୍ତୁ ବିଲ୍‌କୁ କେବଳ ୫୫ଭୋଟ୍ ମିଳିଥିଲେ, ଯାହା ଫଳରେ ବିଲ୍ ପାସ୍ ହୋଇପାରିନଥିଲା। ବିଲ୍ ପାସ୍ ନହେବାରୁ ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠି ମଧ୍ୟ ମଞ୍ଜୁର ହୋଇପାରିନଥିଲା। ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ "ଅଣ-ଅତ୍ୟାବଶ୍ୟକ" ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ କରିବାକୁ ପ‌ଡ଼ିଥାଏ। ଏହି ପରିସ୍ଥିତିକୁ ସଟଡାଉନ୍ କୁହାଯାଏ। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ପଞ୍ଚମ ବଡ଼ ସଟଡାଉନ୍ ବୋଲି କୁହାଯାଉଛି।

Advertisment

୭ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେତେବେଳେ ପାଣ୍ଠି ଅଭାବରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ। ୨୦୧୮ରେ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ, ଏହି ବନ୍ଦ ୩୪ ଦିନ ଧରି ଚାଲିଥିଲା। ଏଥର, ଏହି ବିପଦକୁ ଅଧିକ ଗମ୍ଭୀର ବୋଲି ବିବେଚନା କରାଯାଉଛି, କାରଣ ଟ୍ରମ୍ପ ଏହାକୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବନ୍ଦ କରିବାକୁ ପ୍ରସ୍ତୁତ ହେବା ପାଇଁ ଏକ ବାହାନା ଭାବରେ ବ୍ୟବହାର କରିପାରନ୍ତି। ସେ ସଟ୍‌ଡାଉନ୍ ପୂର୍ବରୁ ଏନେଇ ଇଙ୍ଗିତ କରିସାରିଛନ୍ତି।

ସଟ୍‌ଡାଉନ୍‌ର ଅର୍ଥ କ'ଣ?

ଯେତେବେଳେ ଆମେରିକୀୟ ସଂସଦ ସରକାରୀ ଖର୍ଚ୍ଚ ପାଇଁ ବଜେଟ୍ କିମ୍ବା ପାଣ୍ଠି ବିଲ୍ ପାସ୍ କରିବାରେ ବିଫଳ ହୁଏ, ସେତେବେଳେ ଅନେକ ସରକାରୀ ବିଭାଗରେ କାମ ବନ୍ଦ ହୋଇଯାଏ ଏବଂ ଅନେକ ସେବା ପ୍ରଭାବିତ ହୁଏ। ଏହାକୁ ସଟ୍‌ଡାଉନ୍ ବୋଲି କୁହାଯାଏ। ଏହି ସମୟରେ ଜାତୀୟ ସୁରକ୍ଷା ଏବଂ ଜୀବନ ରକ୍ଷା ସହ ଜଡିତ  ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହେ, ଯେପରିକି ସାମରିକ ବାହିନୀ, ବିମାନ ଟ୍ରାଫିକ୍ ନିୟନ୍ତ୍ରଣ, ସୀମା ସୁରକ୍ଷା ଏବଂ ପେନସନ୍ ଦେୟ। ତେବେ ଏହି କାର୍ଯ୍ୟରେ ନିୟୋଜିତ ଅନେକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯାଇଥାଏ। ଏହା ସହ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ରଖାଯାଇଥାଏ।

ହ୍ବାଇଟ୍‌ ହାଉସ୍‌ର ପ୍ରତିକ୍ରିୟା

ହ୍ୱାଇଟ୍ ହାଉସ୍ ବିରୋଧୀ ଦଳ ଉପରେ ଆକ୍ରମଣ କରି କହିଛି ଯେ "ଡେମୋକ୍ରାଟଙ୍କ ପାଗଳ ନୀତି" ସଟ୍‌ଡାଉନ୍ କରିବାକୁ ବାଧ୍ୟ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି ଯେ, ସରକାରୀ କାର୍ଯ୍ୟ ବନ୍ଦ ଯୋଗୁଁ ବ୍ୟାପକ ଛଟେଇ ହୋଇପାରେ। ଏହି ବନ୍ଦ ଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ସାମରିକ ଏବଂ ରିଜର୍ଭ ବାହିନୀ ବିନା ଦରମାରେ କାମ ଜାରି ରଖିବେ। କୋର୍ଟ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇପାରେ। ଏକ ସର୍ଭେରୁ ଜଣାପଡିଛି ଯେ, ୩୮% ଲୋକ ବନ୍ଦ ପାଇଁ ରିପବ୍ଲିକାନଙ୍କୁ ଦାୟୀ କରିଥିବା ବେଳେ ୨୭% ଡେମୋକ୍ରାଟଙ୍କୁ ଏବଂ ୩୧% ଉଭୟ ଦଳକୁ ସମାନ ଭାବରେ ଦାୟୀ କରିଛନ୍ତି।

ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପୂର୍ବରୁ ମଧ୍ୟ ହୋଇସାରିଛି ସଟ୍‌ଡାଉନ୍

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରଥମ ସଟ୍‌ଡାଉନ୍ଡିସେମ୍ବର ୨୨, ୨୦୧୮ରୁ ଜାନୁଆରି ୨୫, ୨୦୧୯ପର୍ଯ୍ୟନ୍ତ ହୋଇଥିଲା। ଏହି ବନ୍ଦ ୩୫ଦିନ ଧରି ଚାଲିଥିଲା, ଯାହା ସବୁଠାରୁ ଲମ୍ବା ସମୟ ଥିଲା। ଏହାର ମୁଖ୍ୟ କାରଣ ଥିଲା ମେକ୍ସିକୋ ସୀମା ପ୍ରାଚୀର ପାଇଁ ପାଣ୍ଠି ବିବାଦ। ଟ୍ରମ୍ପ, ଆମେରିକା-ମେକ୍ସିକୋ ସୀମାରେ ଏକ ପ୍ରାଚୀର ନିର୍ମାଣ ପାଇଁ କଂଗ୍ରେସକୁ ୫.୭ ବିଲିୟନ ଡଲାର ଦେବାକୁ ଅନୁରୋଧ କରିଥିଲେ, କିନ୍ତୁ ଡେମୋକ୍ରାଟମାନେ ଏହାକୁ ଅନୁମୋଦନ କରିବାକୁ ମନା କରି ଦେଇଥିଲେ, ଯାହା ଫଳରେ ସଟ୍‌ଡାଉନ୍ ହୋଇଥିଲା। ଦ୍ୱିତୀୟ ବନ୍ଦ ୧୪ଫେବ୍ରୁଆରି, ୨୦୧୯ରେ ହୋଇଥିଲା ଏବଂ ପ୍ରାୟ ତିନି ଦିନ ଧରି ଚାଲିଥିଲା।

donald-trump | shotdown