ଆମେରିକାରେ ବନ୍ଧୁକ କିଣିବା ଏତେ ସହଜ କାହିଁକି ?

ନ୍ୟୁୟର୍କ : ଆମେରିକାର ଟେକ୍ସାସ ନଗରୀରେ ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ଯୋଗୁଁ ୧୯ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି । ୨୦୧୨ ପରେ ଏହାକୁ ସବୁଠାରୁ ଭୟଙ୍କର ସ୍କୁଲ ଗଣହତ୍ୟା ବୋଲି କୁହାଯାଉଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଦୁଃଖ ପ୍ରକାଶ ପାଇଛି । ଖୋଦ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ନେଇ ଦୁଃଖ ପ୍ରକଟ କରିବା ସହ ଏପରି ଘଟଣା ସହିବାର ସୀମା ଟପିଗଲାଣି ବୋଲି କହିଛନ୍ତି । ବିଶ୍ବର ଅନ୍ୟ କୌଣସି ଦେଶରେ ଏପରି ହୁଏ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ଘଟଣା ପରେ ଆମେରିକାର ବନ୍ଧୁକ ସଂସ୍କୃତିକୁ ନେଇ ପୁଣି ବିତର୍କ ଉଠିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଆମେରିକାରେ କାହିଁକି ବାରମ୍ବାର ଏପରି ଘଟଣା ଘଟୁଛି ? ଏହାର ଉତ୍ତର ହେଉଛି ଯେ, ଆମେରିକାରେ ଅତ୍ୟନ୍ତ କୋହଳ ବନ୍ଧୁକ ଆଇନ ରହିଛି । ଅର୍ଥାତ ଲୋକମାନେ ସହଜରେ ବନ୍ଧୁକ କିଣିପାରିବେ । ପୁଣି ଲୋକମାନଙ୍କୁ ବନ୍ଧୁକ ରଖିବାର ଅଧିକାର ଖୋଦ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ପ୍ରଦାନ କରିଛି । ଏଣୁ ଆମେରିକାର ସପିଂ ମଲ, ଓ୍ବାଲମାର୍ଟ ଷ୍ଟୋର କିମ୍ବା ଏକ୍ସକ୍ଲୁସିଭ ପାରିବାରିକ ଷ୍ଟୋରରେ ବନ୍ଧୁକ ମିଳିଥାଏ । ଏହାର ଫାଇଦା ନେଇ ଆମେରିକାରେ ଘରେ ଘରେ ବନ୍ଧୁକ ରହିଛି । ଏକ ତଥ୍ୟ ଅନୁସାରେ ଆମେରିକାର ଗୁଳିକାଣ୍ଡ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୪୦ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି । ଆମେରିକାରେ ପ୍ରତି ୧୦୦ ଜଣରେ ୧୨୦ଟି ବନ୍ଧୁକ ରହିଛି । ଏଣୁ ଏପରି ଘଟଣା ଆମେରିକାରେ ଏକ ସ୍ବାଭାବିକ ଘଟଣାରେ ପରିଣତ ହୋଇଛି । କିନ୍ତୁ ବାରମ୍ବାର ସ୍କୁଲ ପିଲାଙ୍କ ହତ୍ୟା ସମଗ୍ର ଆମେରିକାରେ ବନ୍ଧୁକ ସଂସ୍କୃତିକୁ ପୁଣି କାଠଗଡ଼ାରେ ଛିଡ଼ା କରିଛି ।

 

ସମ୍ବନ୍ଧିତ ଖବର