ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ: ଆମେରିକୀୟ ଅଧିକାରୀ

ନ୍ୟୁୟର୍କ: ପାକିସ୍ତାନ ସହିତ ଆମେରିକାର ନିରାପତ୍ତା ଭାଗିଦାରୀ ସୀମିତ ଏବଂ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନ ନିମନ୍ତେ ଯନ୍ତ୍ରାଂଶ ଯୋଗାଣ କରିବାକୁ ବାଇଡେନ୍‌ ପ୍ରଶାସନର ଅନୁମତି ଭାରତ ପ୍ରତି ସତର୍କ ସୂଚନା ନୁହେଁ ବୋଲି ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

ସେ କହିଛନ୍ତି, କିଛି ଦଶନ୍ଧି ତଳେ ପାକିସ୍ତାନ କ୍ରୟ କରିଥିବା ଏଫ୍‌-୧୬ ଲଢୁଆ ବିମାନଗୁଡ଼ିକର ମରାମତି ନିମନ୍ତେ ୪୫୦ ନିୟୁତ ଡଲାର୍‌ର କାର୍ଯ୍ୟକ୍ରମକୁ ଟ୍ରମ୍ପ୍‌ ପ୍ରଶାସନ ଅବରୋଧ କରିଥିଲା।

ରୁଷ୍‌ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା କାରଣରୁ ଭାରତକୁ ସତର୍କସୂଚନା ଦେବା ଉଦ୍ଦେଶ୍ୟରେ ‘ଏଫ୍‌-୧୬’ ଉନ୍ନତୀକରଣ ଏବଂ ଆମେରିକା-ପାକିସ୍ତାନ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା ଚାଲିଛି କି ବୋଲି ପଚରା ଯିବାରୁ ‘ଇଣ୍ଡୋ-ପାସିଫିକ୍‌ ନିରାପତ୍ତା ବ୍ୟାପାରର ପ୍ରତିରକ୍ଷା ସହକାରୀ ସଚିବ ଥିବା ଏଲି ରାଟ୍‌ନର୍‌ ନାମକ ସେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ସେ କଥା ସତ ନୁହେଁ। ଏଫ୍‌-୧୬ ଉନ୍ନତୀକରଣ ରୁଷ୍‌ ସହିତ ସମ୍ପର୍କ ନିମନ୍ତେ ଭାରତ ପ୍ରତି ଚେତାବନୀ ନୁହେଁ। ଆତଙ୍କବାଦ ଏବଂ ଆଣବିକା ନିରାପତ୍ତା ଉପରେ ପ୍ରାଧାନ୍ୟ ଦିଆଯାଇ ପାକିସ୍ତାନ ଓ ଆମେରିକା ମଧ୍ୟରେ ହୋଇଥିବା ସହଯୋଗିତା ରାଜିନାମାର ଏହା ଅଂଶବିଶେଷ।

Image Courtesy of WION

ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ଙ୍କୁ ଫୋନ୍‌ କରି ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନ ନବୀକରଣ ନିମନ୍ତେ ପ୍ୟାକେଜ୍‌ ଯୋଗାଇବା ପାଇଁ ୱାସିଂଟନ୍‌ର ନିଷ୍ପତ୍ତି ଉପରେ ଚିନ୍ତାବ୍ୟକ୍ତ କରିଥିଲେ। ଏ ସଂକ୍ରାନ୍ତରେ ପଚାରିବାରୁ ରାଟ୍‌ନର୍‌ କହିଲେ, ଫୋନ୍‌ରେ ସଚିବ ପ୍ରତିରକ୍ଷାମନ୍ତ୍ରୀ ସିଂହଙ୍କୁ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ରାଜିନାମା ପାକିସ୍ତାନ ଏଫ୍‌-୧୬ର ନବୀକରଣ ନିମନ୍ତେ ନୁହେଁ।

ସମ୍ବନ୍ଧିତ ଖବର