ୱାସିଂଟନ୍: ଫାଇଜର୍ କମ୍ପାନି ନିର୍ମିତ ପ୍ରଥମ କୋଭିଡ୍-୧୯ ନିରୋଧୀ ବଟିକା ‘ପ୍ୟାକ୍ସ୍ଲୋଭିଡ୍’କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲ୍ଥ୍ ରେଗୁଲେଟର୍’ ସ୍ବୀକୃତି ଦେଇଛି।
୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନେ ଏହି ବଟିକା ଖାଇ ପାରିବେ। ନୈଦାନିକ ପରୀକ୍ଷା ରିପୋର୍ଟ ପାଇବା ପରେ ଦୁଇ ପ୍ରକାର ବଟିକାର ସମିଶ୍ରରୁ ପ୍ରସ୍ତୁତ ‘ପ୍ୟାକ୍ସ୍ଲୋଭିଡ୍’କୁ ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ (ଏଫ୍ଡିଏ) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏହି ବଟିକା ଖାଇବାଦ୍ବାରା କରୋନଭାଇରସ୍ଦ୍ବାରା ପୀଡ଼ିତ ବ୍ୟକ୍ତିମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ପରିସ୍ଥିତି ଏବଂ ମୃତ୍ୟୁକୁ ପ୍ରାୟ ୮୮% ହ୍ରାସ କରାଉଛି ବୋଲି ନୈଦାନିକ ପରୀକ୍ଷାରୁ ଜଣାପଡ଼ିଥିଲା।
/sambad/media/post_attachments/wp-content/uploads/2021/12/pfizer1.jpg)
ତୁରନ୍ତ ‘ଫାଇଜର୍’ ଏହି ବଟିକା ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତି ଦେଇ ଏକ ବିବୃତିରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆଜିର ପଦକ୍ଷେପ ହେଉଛି ବିଜ୍ଞାନ କ୍ଷମତାର ପ୍ରମାଣ ଏବଂ ଆମେରିକୀୟ ଉଦ୍ଭାବନ ଏବଂ ମୌଳିକତାର ଫଳ।
ଟେଲିଫୋନ୍ ଯୋଗେ ହ୍ବାଇଟ୍ ହାଉସ୍ କୋଭିଡ୍ ସଂଯୋଜକ ଜେଫ୍ ଜିଣ୍ଟ୍ସ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଚିକିତ୍ସା ନିମନ୍ତେ ୧୦ ନିୟୁତ କୋର୍ସ ଖରିଦ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ୫.୩ ବିଲିୟନ୍ ଡଲାର ବ୍ୟୟ କରିଛି। ଜାନୁଆରି ମାସରେ ପ୍ରଥମ ୨୬୫,୦୦୦ ବଟିକା ମିଳିଯିବ ବୋଲି ଆଶା। ବାକି ବଟିକା ଗ୍ରୀଷ୍ମଋତୁ ବେଳକୁ ମିଳିଯିବ।
ଟିକା ଦିଆଯିବା ସହ ଏହି ବଟିକା ଖୁଆଯାଇ କୋଭିଡ୍-୧୯ ଚିକିତ୍ସା କରାଇବାକୁ ‘ଏଫ୍ଡିଏ’ ଗୁରୁତ୍ବାରୋପ କରି କହିଛି।