ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ‘ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌’ର ଅଧ୍ୟକ୍ଷ ନେନ୍‌ସି ପେଲୋସି ସଂସଦୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପେଲୋସି କହିଛନ୍ତି ଯେ ଟ୍ରମ୍ପ୍‌ ତାଙ୍କର ଡେମୋକ୍ରାଟିକ୍‌ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନଙ୍କୁ କ୍ଷତି ପହଞ୍ଚାଇବାକୁ ବିଦେଶୀ ଶକ୍ତିର ବ୍ୟବହାର କରି ନିଜ ପଦର ଗରିମା ଏବଂ ଶପଥକୁ ଉଲ୍ଲଂଘନ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ସୃଷ୍ଟି କରି ଟ୍ରମ୍ପ୍‌ ବାଇଡେନ୍‌ଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଚାହୁଥିଲେ ବୋଲି ପେଲୋସି କହିଛନ୍ତି। ତେଣୁ ଆମେରିକା ସଂସଦ ଏହି ମହାଭିଯୋଗ ଉପରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ମହାଭିଯୋଗ ନେଇ ଟ୍ରମ୍ପ୍‌ ଆଜି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନର ୧୪ ମାସ ପୂର୍ବରୁ ଡେମୋକ୍ରାଟମାନେ ଏବେ ବିପଜ୍ଜନକ ଖେଳ ଆରମ୍ଭ କରିଛନ୍ତି । ମହାଭି‌ଯୋଗ ମାମଲା କେବଳ ଏକ ଷଡ଼ଯନ୍ତ୍ର ଥିବାରୁ ଏହା ପଣ୍ଡ ହେବ ବୋଲି କହିଛନ୍ତି। ଏଭଳି ଷଡ଼ଯନ୍ତ୍ର ମୋର ପୁନଃ ବିଜୟ ସଂଭାବନାକୁ ଆହୁରି ବଢ଼ାଇବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର