ଜମାଲ ଖସୋଗି ହତ୍ୟାକାଣ୍ଡ ଲାଗି ୭୬ ସାଉଦୀ ଆରବୀୟଙ୍କ ‘ଭିସା’ ନିଷେଧ କଲା ଆମେରିକା
ଓ୍ଵାସିଂଟନ୍: ସାମ୍ବାଦିକ ଜମାଲ୍ ଖସୋଗିଙ୍କୁ ହତ୍ୟା କରାଯାଇଥିବା କାରଣରୁ ଶୁକ୍ରବାର ଦିନ ବାଇଡେନ୍ ପ୍ରଶାସନ ସାଉଦୀ ଆରବର ୭୬ଜଣ ନାଗରିକଙ୍କର ‘ଭିସା’ ନିଷେଧ କରିଛନ୍ତି। କିନ୍ତୁ, ଯୁବରାଜ ମହମଦ ବିନ୍ ସଲ୍ମନ୍ଙ୍କ ପ୍ରତି କୌଣସି କଟକଣା ଜାରି କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସାଉଦୀ ସହ ସମ୍ପର୍କ ସୁଧାରିବା ନିମନ୍ତେ ନିର୍ବାଚନ ପ୍ରଚାର ଅଭିଯାନରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାଙ୍ଘାତିକ ମାନବିକ ଅଧିକାର ଉଲ୍ଲଂଘନ କରିଥିବା ସତ୍ତ୍ୱେ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଆରବକୁ ସମର୍ଥନ କରି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ।
ବାଇଡେନ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଧ୍ୟ-ପ୍ରାଚ୍ୟ ସହ ଥିବା ସମ୍ପର୍କର ମୂଳଦୁଆକୁ ନ ଭାଙ୍ଗି ସାଉଦୀ ଆରବ ସହ ଥିବା ସମ୍ପର୍କ ସୁଧାରିବା ଲାଗି ଏହା ଏକ ନୂତନ ଉଦ୍ୟମ। ୟେମେନ୍ରେ ଯୁଦ୍ଧ ଏବଂ ସାଉଦି କନ୍ସୁଲେଟ୍ ଭିତରେ ଖସୋଗିଙ୍କୁ ହତ୍ୟା କରାଯିବା ଘଟଣା ଯୋଗୁଁ କିଛି ବର୍ଷ ଧରି ଆରବ ଓ ଆମେରିକାର ସମ୍ପର୍କରେ ଅବନତି ଘଟିଥିଲା।
‘ଓ୍ଵାସିଂଟନ୍ ପୋଷ୍ଟ୍’ ନିମନ୍ତେ ସ୍ତମ୍ଭ ଲେଖୁଥିବା ଆମେରିକୀୟ ଅଧିବାସୀ ଖସୋଗି ଯୁବରାଜ ସଲ୍ମନ୍ଙ୍କ ନୀତିକୁ ସମାଲୋଚନା କରୁଥିଲେ। ଶୁକ୍ରବାର ଦିନ ଆମେରିକୀୟ ଗୁଇନ୍ଦାର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଖସୋଗିଙ୍କୁ ହତ୍ୟା କରି ଟିକି ଟିକି କରି କାଟିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାଉଦୀ ସମ୍ପର୍କର ମୁଖ୍ୟ ସୂତ୍ରଧର ସାଉଦୀ ଯୁବରାଜ ମହମଦ୍ ବିନ୍ ସଲ୍ମନ୍ ଆଦେଶ ଦେଇଥିଲେ।
ରାଜା ଅସୁସ୍ଥ ଥିବାରୁ ସମ୍ପ୍ରତି ସାଉଦି ଆରବର ପ୍ରକୃତ ଶାସକ ବୋଲି ବିବେଚନା କରାଯାଉଥିବା ଯୁବରାଜ ସଲ୍ମନ୍ ସାମ୍ବାଦିକ ଜମାଲ୍ ଖଗୋସିଙ୍କୁ ଧରିବା କିଂବା ହତ୍ୟା କରିବା ଲାଗି ତୁର୍କୀର ଇସ୍ତାନବୁଲ୍ରେ ହୋଇଥିବା ଏହି ଅଭିଯାନକୁ ଅନୁମୋଦନ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଘୋଷଣା କରିଛନ୍ତି ଯେ, ନୂଆ ‘ଖସୋଗି ନିଷେଧ’ ନୀତି ଆଧାରରେ ଏହି ୭୬ଜଣ ସାଉଦୀ ନାଗରିକଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି।
୫୯ ବର୍ଷିୟ ସାଉଦୀ ସାମ୍ବାଦିକ ଖସୋଗିଙ୍କୁ ପ୍ରଲୋଭିତ କରି ୨୦୧୮ ଅକ୍ଟୋବର ୨ ତାରିଖରେ ଇସ୍ତାନବୁଲ୍ସ୍ଥିତ ସାଉଦୀ କନ୍ସୁଲେଟ୍କୁ ନିଆଯାଇ ଯୁବରାଜ ସଲ୍ମନ୍ଙ୍କ ବ୍ୟକ୍ତିମାନଙ୍କଦ୍ୱାରା ହତ୍ୟା କରାଯାଇଥିଲା। ହତ୍ୟା କରାଯିବା ପରେ ତାଙ୍କ ଶବକୁ କାଟି ଟିକି ଟିକି କରାଯାଇଥିଲା। ପରେ ତାଙ୍କର ଦେହାବଶେଷର କୌଣସି ସନ୍ଧାନ ମିଳି ନ ଥିଲା।