ନ୍ୟୁୟର୍କ: ଆତଙ୍କବାଦକୁ ନେଇ ଜାତିସଂଘରେ ପାକିସ୍ତାନକୁ ଘେରିଛନ୍ତି ଭାରତ,ଆମେରିକା ଓ ଆଫଗାନିସ୍ତାନ । ତିନିପଟୁ ଆକ୍ରମଣ ସହି ପାକିସ୍ତାନି ପ୍ରତିନିଧିଙ୍କ ପାଟି ଅଠାହୋଇଯାଇଛି ।

Advertisment

ପାକିସ୍ତାନ ଭଲ ଓ ଖରାପ ଆତଙ୍କବାଦୀ କଥା କହିବା ବନ୍ଦ କରୁ ବୋଲି ଜାତିସଂଘରେ ଭାରତର ପ୍ରତିନିଧି ସୟଦ ଆକବରୁଦ୍ଦିନ କହିଛନ୍ତି ।

ତେବେ ଏହାର ଜବାବରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କୂଳଭୂଷଣ ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରିଥିଲା । ବେଲୁଚିସ୍ତାନରେ ଭାରତ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି ଓ କୂଳଭୂଷଣ ମାମଲା ଏହାକୁ ପ୍ରମାଣିତ କରିଛି ବୋଲି ପାକିସ୍ତାନର ପ୍ରତିନିଧି ମଲିହା ଲୋଧୀ କହିଥିଲେ ।

କିନ୍ତୁ ଏହା ପରେ ଆଫଗାନିସ୍ତାନ ଓ ଆମେରିକା ମଧ୍ୟ ପାକିସ୍ତାନକୁ ଘେରିଥିଲେ । ଆମେରିକା କହିଥିଲା ଯେ ବିଶ୍ୱ ସମୁଦାୟର ବିରୋଧ ସତ୍ତ୍ୱେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଅବ୍ୟାହତ ରହିଛି । ଏହା କେବେହେଲେ ଗ୍ରହଣୀୟ ନୁହେଁ । ଆତଙ୍କବାଦୀ ଶିବିର ନ ହଟିଲେ ପାକିସ୍ତାନ ସହ ମିଶି କାମ କରିବା ସମ୍ଭବ ନୁହେଁ ।

ସେହିପରି ଜାତିସଂଘରେ ଆଫଗାନିସ୍ତାନର ଉପ ବୈଦେଶିକ ମନ୍ତ୍ରୀ ହେକମତ ଖଲିଲି କାରଜାଇ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଅବ୍ୟାହତ ରହିଛି । ତିନୋଟି ଦେଶଙ୍କ ମିଳିତ ଆକ୍ରମଣଯୋଗୁଁ ପାକିସ୍ତାନି ପକ୍ଷ ଅପ୍ରସ୍ତୁତ ହୋଇପଡିଥିବା ଦେଖାଯାଇଥିଲା ।