ୱାସିଂଟନ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନର ରଣନୀତି ଏବେ ବଦଳି ଯାଇଛି। ଭାରତର ମୁକାବିଲା ପାଇଁ ଅସମର୍ଥ ପାକିସ୍ତାନ ଏବେ ଗଣବିଧ୍ବଂସୀ ଅସ୍ତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଆମେରିକା ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ପକ୍ଷରୁ ରବିବାର ପ୍ରକାଶିତ ସଦ୍ୟତମ ‘ୱାଲର୍ଡ ଥ୍ରେଟ୍ ଆସେସ୍‌ମେଣ୍ଟ ରିପୋର୍ଟ’ ଅନୁଯାୟୀ ଚୀନ୍‌ର ସାମରିକ ଏବଂ ଅର୍ଥନୈତିକ ସହାୟତାରେ ପାକିସ୍ତାନ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ଏବଂ ଭାରତକୁ ଏକ ଅସ୍ତିତ୍ୱ ବିପଦ ଭାବରେ ଦେଖୁଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆଗାମୀ ବର୍ଷ ପାଇଁ ପାକିସ୍ତାନ ସେନାର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ଆଞ୍ଚଳିକ ପଡ଼ୋଶୀମାନଙ୍କ ସହିତ ସୀମାପାର ସଂଘର୍ଷ ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରର ନିରନ୍ତର ଆଧୁନିକୀକରଣ ଯୋଜନା ରହିଛି।

Advertisment

ଭାରତକୁ ‘ଅସ୍ତିତ୍ବ ସଙ୍କଟ’ ଭାବେ ଦେଖୁଛି
ଚୀନ୍‌ର ସମର୍ଥନ ଉପରେ ଅଧିକ ନିର୍ଭର
ଗଣବିଧ୍ବଂସୀ ପରମାଣୁ ଅସ୍ତ୍ର ଉପରେ ଧ୍ୟାନ

ପାକିସ୍ତାନ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଚୀନ୍‌ ଉପରେ ବିଶେଷ ନିର୍ଭରଶୀଳ ରହିଛି। ପରମାଣୁ ସାମଗ୍ରୀର ସୁରକ୍ଷା ଏବଂ ଆଣବିକ କମାଣ୍ଡ ଏବଂ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ପାକିସ୍ତାନ ସେନା କର୍ତ୍ତୃପକ୍ଷ ଏବେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ପାକିସ୍ତାନ ଏବେ ବିଦେଶୀ ଯୋଗାଣକାରୀ ଏବଂ ମଧ୍ୟସ୍ଥିମାନଙ୍କଠାରୁ ଅତ୍ୟାଧୁନିକ ଗଣବିଧ୍ବଂସୀ ଯୁଦ୍ଧ ସାମଗ୍ରୀ କ୍ରୟ କରୁଛି ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ପାକିସ୍ତାନ ଚୀନ୍‌ଠାରୁ ଗଣବିଧ୍ବଂସୀ ଅସ୍ତ୍ର (ଡବ୍ଲୁଏମ୍‌ଡି) ବିକଶିତ କରିବା ପାଇଁ ସାମଗ୍ରୀ ଏବଂ ଜ୍ଞାନକୌଶଳ ହାସଲ କରୁଛି ଏବଂ ଏଥିମଧ୍ୟରୁ କିଛି ହଂକଂ, ସିଙ୍ଗାପୁର, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ମାଧ୍ୟମରେ ହସ୍ତାନ୍ତର କରାଯାଉଛି। ଚୀନ୍ ପାକିସ୍ତାନର ମୁଖ୍ୟ ସାମରିକ ସରଞ୍ଜାମ ଯୋଗାଣକାରୀ ହୋଇଥିବା ବେଳେ ପାକିସ୍ତାନରେ କାର୍ଯ୍ୟରତ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରି କ୍ରମାଗତ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଦୁଇ ସହଯୋଗୀ ଦେଶ ମଧ୍ୟ ଚିନ୍ତାରେ ରହିଛନ୍ତି। ପାକିସ୍ତାନ ଭାରତକୁ ନିଜ ଅସ୍ତିତ୍ବ ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରୁଛି ଏବଂ ଭାରତର ଅତି ବିଶାଳ ପାରମ୍ପରିକ ସାମରିକ ଶକ୍ତିର ମୁକାବିଲା କରିବା ପାଇଁ ପରମାଣୁ ଅସ୍ତ୍ର ପ୍ରୟୋଗକୁ ଏକ ବିକଳ୍ପ ଭାବେ ରଖି ସେହି ଆଧାରରେ ନିଜକୁ ପ୍ରସ୍ତୁତ କରୁଛି।