ଚୀନର ବିଶାଳ ଯୁଦ୍ଧପୋତ ଫୁଜିଆନକୁ ନେଇ ଚିନ୍ତିତ ନୁହେଁ ଆମେରିକା, କାରଣ ଜାଣନ୍ତୁ

ଓ୍ବାସିଂଟନ : ଚୀନର ନୂଆ ତଥା ବୃହତ୍ତମ ବିମାନବାହୀ ଯୁଦ୍ଧପୋତ ଫୁଜିଆନକୁ ନେଇ ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ଏହା ଆମେରିକାର ନୌସେନା ପ୍ରତି ଏକ ବଡ଼ ବିପଦ ବୋଲି କୁହାଯାଇଛି । କିନ୍ତୁ ବିଶେଷଜ୍ଞମାନେ ଏହାକୁ ନେଇ ଚୀନ କରୁଥିବା ବଡ଼ ବଡ଼ ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି ।

ଆମେରିକୀୟ ନୌସେନାର ପୂର୍ବତନ କ୍ୟାପଟେନ କାର୍ଲ ସୁଷ୍ଟର କହିଛନ୍ତି ଯେ ଏହାର ଉଦଘାଟନ ହୋଇଯାଇଥିଲେ ବି ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆହୁରି ୩-୪ ବର୍ଷ ଲାଗିଯିବ । ପୁଣି ଯେତେବେଳେ ଏହା କାର୍ଯ୍ୟକ୍ଷମ ହୋଇଯିବ, ଆହାର ବଡ଼ ଆକାର ହିଁ ଏହାର ସବୁଠାରୁ ବଡ଼ ଶତ୍ରୁ ହେବ । କାରଣ ବଡ଼ ଆକାର ଯୋଗୁଁ ଏହାକୁ ଶତ୍ରୁପକ୍ଷ ସବୁଠାରୁ ଅଧିକ ଟାର୍ଗେଟ କରିବେ । ଏପରି ଏକ ଅତ୍ୟାଧୁନିକ ତଥା ବୃହତ ଯୁଦ୍ଧପୋତକୁ ଧ୍ବଂସ କରି ଶତ୍ରୁ ଦେଶ ଚୀନ ସେନା ଉପରେ ମାନସିକଭାବେ ବଡ଼ ବିଜୟ ହାସଲ କରିବାକୁ ଚାହିଁବେ । ପୁଣି ତାଇଓ୍ବାନ ଓ ଦକ୍ଷିଣ ଚୀନ ସାଗର ଅଂଚଳ ପାଇଁ ଏପରି ବଡ଼ ଯୁଦ୍ଧ ଜାହାଜର ଉପଯୋଗିତା କମ ବୋଲି କୁହାଯାଉଛି । ଏଣୁ ଆମେରିକାର ନୌସେନା ପାଇଁ ଏହା ଏକ ଚିନ୍ତାର କାରଣ ନୁହେଁ ।

ସୂଚନାଯୋଗ୍ୟ ଯେ, ଗତ ଜୁନ ୧୭ରେ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର) ଫୁଜିଆନ୍ ର ଜଳାବତରଣ କରିଥିଲା । ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଥିଲା ।

ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ ନିର୍ମିତ ୨ୟ ବିମାନବାହୀ ଯୁଦ୍ଧପୋତ । ‘ଫୁଜିଆନ୍’କୁ ଚୀନର ସବୁଠାରୁ ଅତ୍ୟାଧୁନିକ ବିମାନବାହୀ ଯୁଦ୍ଧପୋତ ବୋଲି କୁହାଯାଉଛି ଓ ଏହାକୁ ଚୀନର ରାଷ୍ଟ୍ରାୟତ୍ତ କମ୍ପାନି ଚାଇନା ଷ୍ଟେଟ୍ ସିପବିଲଡିଂ କର୍ପୋରେସନ (ସିଏସଏସସି) ପକ୍ଷରୁ ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର