ୱାସିଂଟନ: ଇରାନ, ଆମେରିକା ଓ ଇସ୍ରାଏଲକୁ ନେଇ ଏବେ ସାରା ବିଶ୍ବରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମଧ୍ୟପ୍ରାଚ୍ୟରେ ଭୟଙ୍କର ବିସ୍ଫୋରଣ ଓ ଆକାଶମାର୍ଗରେ କ୍ଷେପଣାସ୍ତ୍ର ମାଡ଼ ଏହାକୁ ଅଶାନ୍ତ ଅଞ୍ଚଳରେ ପରିଣତ କରିଛି। ୨୦୨୩ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଉତ୍ତେଜନାକୁ ବୃଦ୍ଧି କରିଥିଲା। ତେବେ ଇରାନ ଓ ଇସ୍ରାଏଲ ମଧ୍ୟରେ ସର୍ବଦା ଏପରି ଶତ୍ରୁତା ନଥିଲା। ୧୯୪୮ ମସିହାରେ ଇସ୍ରାଏଲ ଗଠନ ହେବା ପରେ ଇରାନ ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ ଭାବେ ଏହାକୁ ଦେଶର ମାନ୍ୟତା ପ୍ରଦାନ କରିଥିଲା। ତେବେ ୧୯୭୯ ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ଆସିଥିଲା।

Advertisment

୧୯୪୮ ମସିହାରେ ଆରବ ଦେଶମାନଙ୍କର ଇସ୍ରାଏଲକୁ ବିରୋଧ ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧ ହୋଇଥିଲା। କିନ୍ତୁ ଇରାନ ଏଥିରେ ସାମିଲ ହୋଇନଥିଲା। ଇସ୍ରାଏଲ ଏହି ଯୁଦ୍ଧ ଜିତିବା ପରେ ଇରାନ ଇହୁଦି ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରିଥିଲା। ତୁର୍କୀ ପରେ ଦ୍ବିତୀୟ ଇସଲାମିକ୍‌ ଦେଶ ଭାବେ ଇରାନ ଇସ୍ରାଏଲ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଶାହ ମହମ୍ମଦ ରେଜା ପାହଲଭିଙ୍କ ନେତୃତ୍ବରେ ପାହଲଭି ରାଜବଂଶ ଇରାନକୁ ସେତେବେଳେ ଶାସନ କରୁଥିଲେ। ଆମେରିକା ଓ ଇସ୍ରାଏଲ ପାହଲଭି ଶାସନକୁ ସମର୍ଥନ କରୁଥିଲେ। 

ଆରବ ଦେଶମାନଙ୍କ ଅର୍ଥନୈତିକ ବର୍ଜନ ମଧ୍ୟରେ ଇରାନ ଇସ୍ରାଏଲକୁ ତୈଳ ବିକ୍ରି କରୁଥିଲା। ଉଭୟ ଇରାନ ଓ ଇସ୍ରାଏଲ ଆମେରିକାର ସହଯୋଗୀ ଥିଲେ। ଇସଲାମିକ ବିପ୍ଳବ ପରେ ୧୯୭୯ ଶାହ ରାଜବଂଶକୁ କ୍ଷମତାଚ୍ୟୁତ କରି ଇରାନରେ ଧାର୍ମିକ ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଇରାନର ନୂଆ ଶାସକ ଇସ୍ରାଏଲ ସହିତ ସମାନ ସମ୍ପର୍କ ରଖିନଥିଲେ ଓ ପାଲେଷ୍ଟାଇନ ଦଖଲକାରୀ ଭାବେ ଏହାକୁ ବିରୋଧ କରିଥିଲେ। ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଖୋମେନି ଇସ୍ରାଏଲକୁ ଛୋଟ ସୈତାନ ଓ ଆମେରିକାକୁ ବଡ଼ ସୈତାନ କହୁଥିଲେ ଓ ମଧ୍ୟପ୍ରାଚ୍ୟରେ ବିବାଦର କାରଣ ବୋଲି କହୁଥିଲେ। ମଧ୍ୟପ୍ରାଚ୍ୟରେ ଇରାନ ସାଉଦି ଆରବ ଓ ଇସ୍ରାଏଲର ପ୍ରଭାବ ହ୍ରାସ କରିବାକୁ ଚାହୁଥିଲା। ଏହାକୁ ନେଇ ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା।