ନୂଆଦିଲ୍ଲୀ:ପହଲଗାମରେ ଆତଙ୍କବାଦୀ ଆକ୍ରମଣର କିଛିଦିନ ମଧ୍ୟରେ ଭାରତର ଅପରେସନ ସିନ୍ଦୂର ପାକିସ୍ତାନକୁ ସ୍ତବ୍ଧ କରି ଦେଇଛି। ଅପରେସନ ସିନ୍ଦୂର ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ବହୁତ ବୃଦ୍ଧି ପାଇଛି।
ଏଭଳି ସମୟରେ ଆମେରିକା ଲାହୋର ସମେତ ପାକିସ୍ତାନରେ ଉପସ୍ଥିତ ଥିବା ତାର ନାଗରିକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ତୁରନ୍ତ ଫେରି ଆସିବାକୁ ଚେତାବନୀ ଦେଇଛି।
ଆମେରିକୀୟ ଦୂତାବାସ ପାକିସ୍ତାନରେ ଉପସ୍ଥିତ ଥିବା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରି କହିଛନ୍ତି ଯେ, ଲାହୋର ଏବଂ ଏହାର ଆଖପାଖରେ ଡ୍ରୋନ ଆକ୍ରମଣର ରିପୋର୍ଟ ଆସିଛି। ଏଠାରେ ଉପସ୍ଥିତ ସମସ୍ତ ଆମେରିକୀୟ ନାଗରିକ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ । ଯଦି କୌଣସି ପ୍ରକାରର ସମସ୍ୟା ଉପୁଜେ, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ସେଠାରୁ ଚାଲିଯିବାର ବ୍ୟବସ୍ଥା କରନ୍ତୁ। ଯଦି କୌଣସି ନାଗରିକ ବିମାନବନ୍ଦର ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି ତେବେ ସେମାନେ ନିକଟସ୍ଥ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ। ଲାହୋରରେ ଡ୍ରୋନମାଡ଼ ଓ ବିସ୍ଫୋରଣ ପରେ ଲାହୋରସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।
ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆକ୍ରମଣାତ୍ମକ ହୋଇଗଲାଣି। ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଭାରତର ୧୫ଟି ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ଏସ-୪୦୦ ଟ୍ରିୟମ୍ପ ସୁଦର୍ଶନ ବାୟୁ ପ୍ରତିରୋଧ ବ୍ୟବସ୍ଥା ପାକିସ୍ତାନର ଆକ୍ରମଣକୁ ଅକାମୀ କରି ଦେଇଛି।
ଗତକାଲି ବିଳମ୍ବିତ ରାତିରେ, ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ୍, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ସମେତ ଉତ୍ତର ଏବଂ ପଶ୍ଚିମ ଭାରତରେ ଥିବା ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।