ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କଲେ ଆମେରିକା ଓ ତା’ର ମିତ୍ରମାନେ ନିର୍ଣ୍ଣାୟକ ମୁକାବିଲା କ‌ରିବେ: ଫୋନ୍‌ରେ ପୁଟିନ୍‌ଙ୍କୁ କହିଲେ ବାଇଡେନ୍‌

ୱାସିଂଟନ୍‌: ୟୁକ୍ରେନ୍‌ ସହ ଉତ୍ତେଜନା ପ୍ରଶମନ କରିବା ନିମନ୍ତେ ରୁଷୀୟ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବା ସହ ୫୦ ମିନିଟ୍‌ କାଳ ଫୋନ୍‌ ଆଳା‌ପ ବେଳେ ଆମେରିକାର ରା‌ଷ୍ଟ୍ରପତି ଜୋ ବାଇଡେନ୍‌ ସ୍ପଷ୍ଟ କରି ଦେଇଛନ୍ତି ଯେ, ଯଦି ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରେ ତେବେ ୱାସିଂଟନ୍‌ ଏବଂ ତା’ର ମିତ୍ରମାନେ ରୁଷ୍‌ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବେ।

Image Courtesy of Zee News

ଗୁରୁବାର ବିବୃତିରେ ହ୍ବାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ୍‌ ସାକି କହିଛନ୍ତି, ଆଜି ରାଷ୍ଟ୍ରପତି ଜୋସେଫ୍‌ ଆର୍‌. ବାଇଡେନ୍‌ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ କଥାବାର୍ତ୍ତା ବେଳେ ୟୁକ୍ରେନ୍‌ ସହ ଉତ୍ତେଜନା ପ୍ରଶମନ କରିବାକୁ ଅନୁରୋଧ କରିଛନ୍ତି।

Image Courtesy of Republic World

ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ରୁଷ୍‌ ଯଦି ୟୁକ୍ରେନ୍‌ ଆକ୍ରମଣ କରେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନେ ନିର୍ଣ୍ଣାୟକ ମୁକାବିଲା କରିବେ ବୋଲି ବାଇଡେନ୍‌ ସ୍ପଷ୍ଟ କରିଦେଇଛନ୍ତି।

ଦୁଇ ନେତାଙ୍କ ମଧ୍ୟରେ ଅପରାହ୍ଣ ୩.୩୫ରେ ଆରମ୍ଭ ହୋଇଥିବା ଏହି ଫୋନ୍‌ ବାର୍ତ୍ତାଳାପ ଅପରାହ୍ଣ ୪.୨୫ ପର୍ଯ୍ୟନ୍ତ ଚାଲିଥିଲା ବୋଲି ହ୍ବାଇଟ୍‌ ହାଉସ୍‌ କହିଛି। ଏହା ଥିଲା ଗୋଟିଏ ମାସ ମଧ୍ୟରେ ୟୁକ୍ରେନ୍‌ ସମ୍ବନ୍ଧରେ ଫୋନ୍‌ ଯୋଗେ ବାଇଡେନ୍‌ ଓ ପୁଟିନଙ୍କ ମଧ୍ୟରେ ଦ୍ବିତୀୟ ଆଲୋଚନା।

ସମ୍ବନ୍ଧିତ ଖବର