ବିଶ୍ବକପ୍: ଆମେରିକୀୟ କ୍ରୀଡ଼ା ସାମ୍ବାଦିକଙ୍କ ସଂଦେହଜନକ ମୃତ୍ୟୁ

ଦୋହା : କତାରଠାରେ ଚାଲିଥିବା ବିଶ୍ବକପ ଫୁଟବଲରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ରିପୋର୍ଟିଂ କରୁଥିବାବେଳେ ଆମେରିକୀୟ କ୍ରୀଡ଼ା ସାମ୍ବାଦିକ ଗ୍ରାଣ୍ଟ୍ ଓ୍ବାଲ୍ ହଠତ୍ ମୃତ୍ୟୁବରଣ କରିଛନ୍ତି ।

ଶୁକ୍ରବାରଦିନ ଲୁସେଲ୍ ଷ୍ଟାଡିୟମଠାରେ ଚାଲିଥିବା ଆର୍ଜେଣ୍ଟିନା ଓ ନେଦରଲାଣ୍ଡସ କ୍ବାଟରଫାଇନାଲ ମ୍ୟାଚ ବେଳେ ସେ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଏହି ସମୟରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । କତାର ପୁଲିସ ତାହାକୁ ଏକ ଅପମୃତ୍ୟୁ କହୁଥିବାବେଳେ ଗ୍ରାଣ୍ଟଙ୍କ ପରିବାର ପକ୍ଷରୁ ତାଙ୍କ ହତ୍ୟା କରାଯାଇଥିବା ଦାବି କରାଯାଇଛି ।

ଗ୍ରାଣ୍ଟଙ୍କ ଭାଇ ଏରିକ୍ ଏକ ଟୁଇଟ କରି ତାଙ୍କ ମୃତ୍ୟୁକୁ ନେଇ ସଂଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗ୍ରାଣ୍ଟ ସୁସ୍ଥ ଥିଲେ, ଏଣୁ ତାଙ୍କର ମୃତ୍ୟୁକୁ ସେ ବିଶ୍ବାସ କରିପାରୁନାହାନ୍ତି । ତାଙ୍କ ଭାଇଙ୍କୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି ।

ଖେଳ ଦେଖିବାବେଳେ ସେ ସମଲିଙ୍ଗୀ ସଂପର୍କକୁ ସମର୍ଥନ ଜଣାଇ ଏକ ଇନ୍ଦ୍ରଧନୂ ଟି-ସାର୍ଟ ପିନ୍ଧିଥିଲେ । ଏଥିପାଇଁ ତାଙ୍କୁ କତାର ପୁଲିସ କିଛି ସମୟ ପାଇଁ ଅଟକ ରଖି ପଚରା ଉଚୁରା କରିଥିଲା । ତେବେ କିଛି ସମୟ ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା । ଏହାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମିଡିଆ ଗ୍ୟାଲେରିରେ ସେ ଅସୁସ୍ଥ ହେବା ପରେ ତାଙ୍କୁ ସେଠାରେ ଥିବା ସ୍ବାସ୍ଥ୍ୟକର୍ମୀମାନେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ତାଙ୍କୁ ହସପିଟାଲ ନିଆଯାଇଥିଲା, ସେଠାରେ ଶନିବାର ସକାଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର