ନୂଆଦିଲ୍ଲୀ : ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଲଗାଉଥିବା କାଟସା କଟକଣାରୁ ଭାରତକୁ ମୁକ୍ତ ରଖିବାକୁ ଆମେରିକାର ଜଣେ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଦାବି କରିଛନ୍ତି । ଖାନ୍ନା ହେଉଛନ୍ତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜଣେ ଭାରତୀୟ ବଂଶୋଦ୍ଭବ । ସେ କହିଛନ୍ତି ଭାରତ ଏବେ ରୁଷର ମିଲିଟାରୀ ସାମଗ୍ରୀ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ଭାରତକୁ କଟକଣାରୁ ମୁକ୍ତ ରଖାଯିବା ଭାରତ-ଆମେରିକା ସାମରିକ ସହଯୋଗିତା ପାଇଁ ବେଶ ହିତକର ।

Advertisment

ଏହା ପୂର୍ବରୁ ଜଣେ ପ୍ରଭାବଶାଳୀ ସିନେଟର ବବ୍ ମେନେନଡେଜ୍ କହିଥିଲେ ଯେ ଭାରତ ରୁଷଠାରୁ ଏସ-୪୦୦ କିଣୁଥିବାବେଳେ ଏହି ଦେଶ ଉପରେ ଆମେରିକା ଲଗାଉଥିବା କାଟସା କଟକଣାର ସ୍ଥିତି କଣ ? କଟକଣା ସତ୍ତ୍ବେ ଯଦି ଭାରତ ଏସ-୪୦୦ କିଣିବା ଜାରି ରଖୁଥାଏ ତେବେ କ୍ବାଡରେ କଣ ଭାରତର ସଦସ୍ୟତା  ଜାରି ରହିବ ?

ସୂଚନାଯୋଗ୍ୟ ଯେ, ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ ଡିସେମ୍ବରରେ ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ଏହାର ମୁତୟନ କାମ ସଂପୂର୍ଣ୍ଣ ହୋଇଛି ।