ନୂଆଦିଲ୍ଲୀ: ଇରାନର ଚାବହାର ବନ୍ଦର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦୧୮ ମସିହାରେ ପ୍ରଦାନ କରିଥିବା କଟକଣା କୋହଳକୁ ପ୍ରତ୍ୟାହାର ଘୋଷଣା କରିଛି। ଆମେରିକାର ଏହି ନିଷ୍ପତ୍ତି ଚଳିତମାସ ୨୯ ତାରିଖରୁ କାର୍ଯ୍ୟକାରୀ ହେବ। ଇରାନ ଉପରେ ସର୍ବାଧିକ ଚାପ ସୃଷ୍ଟି କରିବା ନିମନ୍ତେ ୱାସିଂଟନ ଏହି ପଦକ୍ଷେପ ନେଇଛି। ଇରାନ ଫ୍ରିଡମ୍ ଆଣ୍ଡ୍ କାଉଣ୍ଟର-ପ୍ରୋଲିଫରେସନ ଆକ୍ଟ( ଆଇଏଫ୍ସିଏ) ଅଧୀନରେ ଚାବହାର ବନ୍ଦର ପାଇଁ କଟକଣା କୋହଳ କରାଯାଇଥିଲା। ଏହା ଫଳରେ ଭାରତ ଓ ଅନ୍ୟ ଦେଶଗୁଡ଼ିକ ସେଠାରେ ନିବେଶ ଓ ବ୍ୟବସାୟ କଲେ ମଧ୍ୟ ଆମେରିକାର କୌଣସି ଜରିମାନା ଲାଗୁ ନଥିଲା। କିନ୍ତୁ ଆମେରିକାର ନୂଆ ପଦକ୍ଷେପ ଭାରତର ଚିନ୍ତା ବଢ଼ାଇବ। ପାକିସ୍ତାନ ସହିତ ଭାରତର ସଂପର୍କ ଖରାପ କାରଣରୁ କେନ୍ଦ୍ରୀୟ ଏସିଆ ଓ ଆଫଗାନିସ୍ତାନ ସହିତ ବାଣିଜ୍ୟିକ କାରବାର ପାଇଁ ଏହି ବନ୍ଦର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଇଥାଏ। ଏହି ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ଭାରତ ୧୨୦ ନିୟୁତ ଡଲାର ନିବେଶ କରିସାରିଛି।
ଏଣୁ ଉକ୍ତ ବନ୍ଦରରେ ଭାରତ କରିଥିବା ନିବେଶ ଏବଂ ଏଠାରେ କାର୍ଯ୍ୟରତ ଭାରତୀୟ କମ୍ପାନିଙ୍କ ପାଇଁ ଆମେରିକା ପଟୁ ବିପଦ ବଢ଼ିଯାଇଛି। ଏଥିସହିତ ଭାରତର ଆଞ୍ଚଳିକ ଯୋଗାଯୋଗ ପ୍ରକଳ୍ପର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ଲାଗିଯାଇଛି।
୨୦୧୮ ମସିହାରେ ସରକାରୀ ସଂସ୍ଥା ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ ଜରିଆରେ ଚାବହାରର ସହିଦ ବେହେସ୍ତି ଟର୍ମିନାଲର ପରିଚାଳନା ଦାୟିତ୍ବ ଭାରତ ନେଇଛି। ଓମାନ ଉପସାଗରରେ ଅବସ୍ଥିତ ଏହି ବନ୍ଦର କେବଳ ଆଞ୍ଚଳିକ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ପାଲଟି ନଥାଏ ଆଫଗାନିସ୍ତାନକୁ ମାନବିକ ସହାୟତା ଦେବାରେ ବି ସହାୟକ ହୋଇଥାଏ। ଗତ କିଛିବର୍ଷ ମଧ୍ୟରେ ଏହି ବନ୍ଦରର କାରବାର ବଢ଼ିଯାଇଛି। ନିକଟ ଭବିଷ୍ୟତରେ ଏହି ବନ୍ଦରର କ୍ଷମତା ୧ ଲକ୍ଷ ଟିଇୟୁରୁ ୫ ଲକ୍ଷ ଟିଇୟୁକୁ ବଢ଼ାଇବା ଲକ୍ଷ୍ୟ ରଖାଯାଇଛି। ସେହିଭଳି ଇରାନର ରେଳ ନେଟୱର୍କ ସହିତ ମଧ୍ୟ ଏହାକୁ ୨୦୨୬ ମଧ୍ୟଭାଗ ସୁଦ୍ଧା ଯୋଡ଼ିବା ଯୋଜନା ରହିଛି।