ନୌସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍ ୬୦-ଆର ରୋମିଓ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ସାମିଲ ହୋଇଛି ୨ଟି ଆମେରିକା ନିର୍ମିତ ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ଓ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ରବନିତ୍ ସିଂ ଉପସ୍ଥିତ ଥିଲେ ।

ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟରଗୁଡ଼ିକ ଆମେରିକୀୟ କମ୍ପାନି ଲକହିଡ୍ ମାର୍ଟିନ ଦ୍ବାରା ନିର୍ମାଣ କରାଯାଉଛି । ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତୀୟ ନୌସେନା ଏହିପରି ମୋଟ ୨୪ଟି ହେଲିକପ୍ଟର ଖରିଦ କରିବ । ଏହି ୨୪ଟି ହେଲିକପ୍ଟରର ମୋଟ ମୂଲ୍ୟ ପ୍ରାୟ ୨.୪ ବିଲିୟନ ଡଲାର ( ପ୍ରାୟ ୧୮ ହଜାର କୋଟି ଟଙ୍କା) ହେବ ।

ଏହି ହେଲିକପ୍ଟର ଗୁଡ଼ିକରେ ଏଜିଏମ-୧୧୪ ହେଲଫାୟାର କ୍ଷେପଣାସ୍ତ୍ର, ଏମକେ୫୪ ଟର୍ପେଡୋ ଆଦି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରିବ । ଏଗୁଡ଼ିକ ଆସିବା ପରେ ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର