ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ ଗୋଟାଏ ଲଟେରି ଖେଳରେ ପ୍ରଥମେ ୫୦୦ ଡଲାର୍ ଜିଣିବା ପରେ ଆମେରିକାର ଜଣେ ବ୍ୟକ୍ତି ମଦ ଦୋକାନରୁ ଗୋଟାଏ ‘ସ୍କ୍ରାଚ୍-ଅଫ୍ ଲଟେରି’ ଟିକେଟ୍ କିଣି ୧ ନିୟୁତ ଡଲାର୍ ବା ଭାରତୀୟ ମୁଦ୍ରାରେ ୮.୨୪ କୋଟି ଟଙ୍କା ଜିଣିଛନ୍ତି ବୋଲି ‘କେସିଆର୍ଏ ନିଉଜ୍’ ରିପୋର୍ଟ କରିଛି।
‘କେସିଆର୍ଏ ନିଉଜ୍’ ରିପୋର୍ଟ ଅନୁସାରେ, ଭେଙ୍ଗ୍ ଚା’ ନାମକ ସେ ବ୍ୟକ୍ତିଜଣକ ୩୦ ଡଲାର୍ ବିନିମୟରେ ପ୍ରଥମେ ‘କାଲିଫର୍ଣ୍ଣିଆ ୨୦୦ଏକ୍ସ୍ ଗେମ୍’ ‘ସ୍କ୍ରାଚର୍ସ ଟିକେଟ୍’ କିଣି ୫୦୦ ଡଲାର୍ ଲଟେରି ଜିଣିଥିଲେ। କିନ୍ତୁ, ସେଥିରେ ପ୍ରଥମ ପୁରସ୍କାର ବା ‘ଗ୍ରାଣ୍ଡ୍ ପ୍ରାଇଜ୍’ ଥିଲା ୧୦ ନିୟୁତ ଡଲାର୍।
ଚା’ କହିଛନ୍ତି, ଏହା ଦେଖି ମୁଁ ୧୦ ଡଲାର୍ ଗେମ୍ ଥିବା ସମୁଦାୟ ‘ବହି’ଟିଏ କିଣି ପକାଇଲି। ସେଥିରୁ ବୋଧହୁଏ ପ୍ରାୟ ୨୦ଟି ଟିକେଟ୍ ‘ସ୍କ୍ରାଚ୍’ କରିସାରିବା ପରେ ଘରକୁ ଫେରି ବାକି ଟିକେଟ୍ ‘ସ୍କ୍ରାଚ୍’ କଲି। ସେଥିରୁ ଗୋଟିଏ ଟିକେଟ୍ ମତେ ୧ ନିୟୁତ ଡଲାର୍ ପୁରସ୍କାର ବିଜୟୀ କଲା।
‘ଫକ୍ସ୍ ନିଉଜ୍’ ରିପୋର୍ଟ ଅନୁସାରେ, ଚା’ ତାଙ୍କ ଟିକେଟ୍ର ଚତୁର୍ଥ ତଥା ଅନ୍ତିମ ଧାଡ଼ିର ଟିକେଟ୍ ସ୍କ୍ରାଚ୍ କରିବା ପରେ ବିଜୟୀ ନମ୍ବର ‘୧୬’ ବାହାରିଲା। ବିଜୟୀ ହୋଇଛନ୍ତି ବୋଲି ସେତେବେଳେ ସେ ନିଜେ ବି ବିଶ୍ବାସ କରିପାରିଲେ ନାହିଁ।
ଚା’ କହିଛନ୍ତି, ଏକଥା ସତ ବୋଲି ସୁନିଶ୍ଚିତ ହେବା ଲାଗି ମୁଁ ‘ଲଟେରି ଆପ୍’ରେ ଉକ୍ତ ଟିକେଟ୍ ସ୍କାନ୍ କରାଇଲି ଓ ବିଜୟୀ ହୋଇଥିବା ଜାଣିଲି।
ଜିଣିଥିବା ଅର୍ଥକୁ ସେ ବିନିଯୋଗ କରିବା ସହିତ ପୂର୍ବାପେକ୍ଷା ଅଧିକ ‘ସ୍କ୍ରାଚର୍’ ଖେଳିବେ ବୋଲି କହିଛନ୍ତି।