ୱାସିଂଟନ: ଭାରତ ସହିତ ବାଣିଜ୍ୟ ଚୁକ୍ତି ପରେ, ଆମେରିକା ଏପରି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଭାରତର ଏକ ମାନଚିତ୍ର ପ୍ରକାଶ କରିଛି। ଯେଉଁଥିରେ ସମଗ୍ର ଜମ୍ମୁ-କାଶ୍ମୀରକୁ ଭାରତର ଅଂଶ ଭାବରେ ଦର୍ଶାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶ ପରେ ଏହି ମାନଚିତ୍ର ପୋଷ୍ଟ କରାଯାଇଛି।

Advertisment

ଆମେରିକା କ’ଣ କାଶ୍ମୀର ଉପରେ ନିର ମତ ବଦଳାଇଛି?

କାଶ୍ମୀର ପ୍ରସଙ୍ଗରେ ୱାଶିଂଟନର ସ୍ଥିତି ରହିଛି ଯେ, ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ। ସେପ୍ଟେମ୍ବର ୨୦୨୩ରେ, ଭାରତରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଆମେରିକାର ସ୍ଥିତିକୁ ଦୋହରାଇ କହିଥିଲେ ଯେ, କାଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ। ଗତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ସମ୍ପର୍କରେ ଅନେକ ମନ୍ତବ୍ୟ ଦେଇଥିଲେ ଯାହା ୱାସିଂଟନର ପୂର୍ବ ମତର ବିରୁଦ୍ଧାଚରଣ କରିଥିଲା। ଟ୍ରମ୍ପ ସିଧାସଳଖ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଥିଲେ, ହଜାର ବର୍ଷ ମଧ୍ୟରେ କାଶ୍ମୀର ସମସ୍ୟାର ସମାଧାନ ମିଳିପାରିବ କି ନାହିଁ ତାହା ମୁଁ ଦେଖିବାବୁ ଚାହେଁ।

ପାକିସ୍ତାନକୁ ବଡ଼ ଝଟକା

ଏବେ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟରୁ ପୋଷ୍ଟରେ ଦେଖାଯାଇଥିବା ମାନଚିତ୍ରରେ ଜମ୍ମୁ-କାଶ୍ମୀରକୁ ଭାରତର ଅଂଶ ଭାବରେ ଦର୍ଶାଯାଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଗତ କିଛି ମାସ ଧରି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ଓ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଟ୍ରମ୍ପଙ୍କ ଚାଟୁକାର ସାଜିବାରେ ବ୍ୟସ୍ତ ଅଛନ୍ତି। ଶାହବାଜଙ୍କ ସରକାର ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ଏପରି କରି ସେ ନିଜ ଦେଶ ପାକିସ୍ତାନରେ ବିରୋଧର ସମ୍ମୁଖୀନ ହେଉଛନ୍ତି।

କାଶ୍ମୀର ଉପରେ କ'ଣ କହୁଛି ଭାରତ?

ଭାରତ ବାରମ୍ବାର କହିଆସିଛି ଯେ ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସବୁବେଳେ ରହିବ। ଭାରତ କହୁଛି ଯେ, କାଶ୍ମୀର ଉପରେ ପାକିସ୍ତାନ ସହିତ ଯେକୌଣସି ଆଲୋଚନା କେବଳ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଫେରାଇବା ବିଷୟରେ ହେବ। ୨୨ ଫେବ୍ରୁଆରି ୧୯୯୪ରେ ଭାରତୀୟ ସଂସଦରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ପାକ୍ ଅଧିକୃତ ଜାମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସବୁବେଳେ ରହିବ। ଏଥିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରକୁ ଦେଶର ଅନ୍ୟ ଅଂଶରୁ ଅଲଗା କରିବାର ଯେକୌଣସି ପ୍ରୟାସକୁ ସମସ୍ତ ଆବଶ୍ୟକୀୟ ସମ୍ବଳ ମାଧ୍ୟମରେ ପ୍ରତିରୋଧ କରାଯିବ ।ଏହି କାରଣରୁ, ପ୍ରତିବର୍ଷ ୨୨ ଫେବ୍ରୁଆରିକୁ ଜମ୍ମୁ-କାଶ୍ମୀର ସମାଧାନ ଦିବସ ଭାବରେ ସ୍ମରଣ କରାଯାଉଛି।

ଆହୁରି ପଢନ୍ତୁ - India Us Interim Trade Deal : ଭାରତ ପାଖରେ ରହିବ ଆମେରିକା ବଜାରର ଚାବିକାଠି, ମେକ୍ ଇନ୍ ଇଣ୍ଡିଆକୁ ମିଳିବ ପ୍ରୋତ୍ସାହନ