ନୂଆଦିଲ୍ଲୀ: ରୁଷଠାରୁ ତୈଳ କିଣିବା ପ୍ରସଂଗ ନେଇ ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା। ରୁଷ ସହ ଭାରତର ଭଲ ସଂପର୍କ ପାଇଁ ଏହା ଆମେରିକାର ପ୍ରତିଶୋଧାତ୍ମକ ପଦକ୍ଷେପ। ତେବେ ଏବେ ଜାଣିବାକୁ ମିଳୁଛି କି ଆମେରିକା ଭାରତ ଉପରେ ଲଗାଇଥିବା ସେହି ଦଣ୍ଡକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି। 

Advertisment

ଆମେରିକାର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ ଗୁରୁବାର କହିଛନ୍ତି ଯେ ଆମେରିକା ନଭେମ୍ବର ୩୦ ତାରିଖ ପରେ ଭାରତୀୟ ଆମଦାନୀ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଦଣ୍ଡ ଶୁଳ୍କକୁ ପ୍ରତ୍ୟାହାର କରିପାରେ। ସେ ଆଶା ପ୍ରକାଶ କରିଛନ୍ତି କି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଯଥେଷ୍ଟ ଉନ୍ନତି ହେବ। ଭାରତ ଉପରେ ଅତିରିକ୍ତ ଶୁଳ୍କ ଆମେରିକା ଲଗାଇବା ପରେ ବି ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆ ଏବଂ ଫୋନ୍ କଲ୍ ମାଧ୍ୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି।

କୋଲକାତାରେ ମର୍ଚ୍ଚାଣ୍ଟସ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଗେଶ୍ୱରନ୍ ଏହି ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, "ଆମେ ସମସ୍ତେ ପୂର୍ବରୁ କାମ କରୁଛୁ ଏବଂ ମୁଁ ଏଠାରେ ଶୁଳ୍କ ବିଷୟରେ ଆଲୋଚନା କରିବାକୁ କିଛି ସମୟ ନେବି। ହଁ, ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଏବଂ ୨୫ ପ୍ରତିଶତ ଦଣ୍ଡ ଶୁଳ୍କ ଉଭୟ ଆଶା କରାଯାଇନଥିଲା। ମୁଁ ଏବେ ବି ବିଶ୍ୱାସ କରେ ଯେ ଭୂରାଜନୈତିକ ପରିସ୍ଥିତି ଯୋଗୁ ଦ୍ୱିତୀୟ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା। ଗତ କିଛି ସପ୍ତାହର ସାମ୍ପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି, ମୁଁ ଏହା ବିଶ୍ୱାସ କରୁଛି କି ନଭେମ୍ବର ୩୦ ତାରିଖ ପରେ କୌଣସି ଦଣ୍ଡାତ୍ମକ ଶୁଳ୍କ ରହିବ ନାହିଁ।"