ଚୋରାଚାଲାଣ ହୋଇଥିବା ୧୫ଟି ଧାତୁ ଓ ପ୍ରସ୍ତର ମୂର୍ତ୍ତି ଭାରତକୁ ଫେରାଇବ ‘ଆମେରିକା ମେଟ୍ରୋପଲିଟାନ୍ ମ୍ୟୁଜିୟମ୍’
ନ୍ୟୁୟର୍କ ସିଟି: ଭାରତରୁ ଚୋରା ଚାଲାଣ ହୋଇ ଆସିଛି ବୋଲି ଜାଣିବା ପରେ ‘ୟୁଏସ୍ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍’ ସମୁଦାୟ ୧୫ଟି ଧାତୁ ଓ ପ୍ରସ୍ତର ଖୋଦିତ ମୂର୍ତ୍ତି ଭାରତ ସରକାରଙ୍କୁ ଫେରାଇଦେବ ବୋଲି କହିଛି।
ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ଆନୁଷ୍ଠାନିକ ବିବୃତିରେ ଉଲ୍ଲେଖ ଅଛି, ସୁଭାଷ କପୁର ନାମରେ ଜଣେ ଲୁଟେରା ଏହି ଭାସ୍କର୍ଯ୍ୟଗୁଡ଼ିକୁ ବିକ୍ରୟ କରିଥିଲେ। ଏହି ଭାସ୍କର୍ଯ୍ୟଗୁଡ଼ିକୁ ସେ ଆଫଗାନିସ୍ଥାନ, କାମ୍ବୋଡିଆ, ଭାରତ, ଇଣ୍ଡୋନେସିଆ, ମିଆଁମାର୍, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ୍ ଏବଂ ଅନ୍ୟାନ୍ୟ ଦେଶରୁ ଚୋରାଚାଲାଣ କରାଇବାରେ କପୁର ସହଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ଭାରତୀୟ ରାଜ୍ୟ ତାମିଲନାଡୁର ଏକ ଅଦାଲତ କପୁର୍ଙ୍କୁ ପ୍ରାଚୀନ କଳାକୃତି ଚୋରାଚାଲାଣକାରୀ ଭାବେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ଦଣ୍ଡାଦେଶ ଦେଇଥିଲେ। ୨୦୧୧ରେ ତାଙ୍କୁ ଜର୍ମାନିରୁ ଗିରଫ କରାଯିବା ପରେ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା।

‘ଆମେରିକା ମେଟ୍ରୋପଲିଟାନ୍ ମ୍ୟୁଜିୟମ୍’ ଫେରସ୍ତ କରିବାକୁ ଥିବା ଉକ୍ତ ପୋଡ଼ାମାଟି, ତମ୍ବା ଏବଂ ପ୍ରସ୍ତର ନିର୍ମିତ ଭାସ୍କର୍ଯ୍ୟ ସବୁ ଖ୍ରୀଷ୍ଟପୂର୍ବ ୨ୟରୁ ଖ୍ରୀଷ୍ଟାବ୍ଦ ୧୧ଶ ମଧ୍ୟରେ ନିର୍ମିତ ହୋଇଥିବା କଥା ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ଏହା ପୂର୍ବରୁ, ଦୀର୍ଘ ୧୫ ବର୍ଷ ତଦନ୍ତ କରିବା ପରେ ୨୦୨୨ ଅକ୍ଟୋବରରେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଥିଲେ ଯେ, ସେମାନେ ଭାରତକୁ ୩୦୭ ପ୍ରାଚୀନ ସାମଗ୍ରୀ ଫେରାଇ ଦେଇଛନ୍ତି। ୪ ନିୟୁତ ଡଲାର୍ ମୂଲ୍ୟର ଉକ୍ତ ସାମଗ୍ରୀଗୁଡ଼ିକୁ ଏକାଧିକ କ୍ଷୁଦ୍ର ଚୋରାଚାଲାଣକାରୀ ନେଟ୍ୱାର୍କ ଭାରତରୁ ଚୋରାଇ ଆଣିଥିଲେ।