ବଢୁଛି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ, ଆଣ୍ଡାମାନରେ ଓହ୍ଲାଇଲା ଆମେରିକାର ସାମରିକ ବିମାନ

ନୂଆଦିଲ୍ଲୀ : ଚୀନ ସହ ଭାରତର ଉତ୍ତେଜନା ବଢିଚାଲିଥିବାବେଳେ ଆମେରିକା ଓ ଭାରତ ମଧ୍ୟରେ ସାମରିକ ସହଯୋଗର ଗୁରୁତ୍ୱ ବଢିଯାଇଛି । ନିକଟରେ ଆମେରିକା ନୌସେନାର ପି-୮ ପୋସେଡନ ସାମରିକ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରେ ଥିବା ଭାରତୀୟ ନୌସେନା ଘାଟିରେ ଅବତରଣ କରି ଇନ୍ଧନ ଭର୍ତ୍ତି କରିଥିଲା । ସେହିପରି ଗତ ମାସରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଦକ୍ଷିଣ-ଚୀନ ସାଗରରେ ଥିବାବେଳେ ଆମେରିକାର ଜାହାଜରୁ ଇନ୍ଧନ ସଂଗ୍ରହ କରିଥିଲା । ଉପରକୁ ଏହା ଏକ ସାଧାରଣ ଘଟଣା ଭଳି ମନେ ହେଉଥିଲେ ମଧ୍ୟ ବିଶେଷଜ୍ଞମାନେ ଏହାକୁ ଗୁରୁତ୍ୱ ଦେଉଛନ୍ତି ।

ବିଶେଷଜ୍ଞମାନଙ୍କ ମତରେ ଏହି ଘଟଣା ଭାରତ ଓ ଆମେରିକାର ସାମରିକ ସହଯୋଗକୁ ଦର୍ଶାଉଛି । ଉପରକୁ ଏହା ଏକ ସାଧାରଣ ଘଟଣା ଭଳି ଦେଖାଯାଉଥିଲେ ମଧ୍ୟ ଭିତରେ ଉଭୟ ଦେଶ ଚୀନ ବିରୁଦ୍ଧରେ ନିଜର ସାମରିକ ମେଣ୍ଟକୁ ଦୃଢ କରିଚାଲିଛନ୍ତି । ୨୦୧୭ ରେ ଦୁଇ ଦେଶ ମଧ୍ୟରେ ଲିମୋଆ ନାମକ ସାମରିକ ଚୁକ୍ତି ସ୍ୱାକ୍ଷରତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଦୁଇଦେଶର ସାମରିକ ବାହିନୀ ପରସ୍ପରର ସାମରିକ ଘାଟି ବ୍ୟବହାର କରିପାରିବେ ।

ଏସିଆରେ ବଢିଚାଲିଥିବା ଚୀନର ପ୍ରଭାବକୁ ରୋକିବାକୁ ଆମେରିକା ଭାରତକୁ ନିଜର ପ୍ରମୁଖ ସାମରିକ ସହଯୋଗୀ କରିଛି । ଭାରତ ପାଇଁ ମଧ୍ୟ ଏହି ମେଣ୍ଟର ଗୁରୁତ୍ୱ ବଢିଯାଇଛି । କାରଣ ଉଭୟ ଚୀନ ଓ ପାକିସ୍ତାନ ପଟୁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା କରିବାକୁ ଆମେରିକାର ସହାୟତା ବେଶ ଜରୁରୀ । ଅନ୍ୟପକ୍ଷରେ ଚୀନ ପଟୁ ଯେକୌଣସି ସମୟରେ ଭାରତ ଯୁଦ୍ଧ ଆଶଙ୍କା କରୁଥିବାରୁ ଭାରତ ମହାସାଗରରେ ଆମେରିକା ଯୁଦ୍ଧ ଜାହାଜ ଓ ବିମାନର ଉପସ୍ଥିତି ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର