ୱାସିଂଟନ: ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧ ଉତ୍ତେଜନା ଭିତରେ ଇସ୍ରାଏଲର କେତେକ ଗୋପନ ସାମରିକ ପ୍ରସ୍ତୁତି  ଆମେରିକାରେ ପ୍ରଘଟ ହେବା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି। ଇରାନ ବିରୋଧରେ ଇସ୍ରାଏଲର ଆକ୍ରମଣ ଯୋଜନା ସଂକ୍ରାନ୍ତ ଦୁଇଟି ଅତ୍ୟନ୍ତ ଗୋପନୀୟ ଦସ୍ତାବିଜ   ଲିକ୍ ହୋଇଛି। ଏହା ଇସ୍ରାଏଲର ସାମରିକ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଥିବା ବେ‌ଳେ ଇରାନ  ଆଜି ଇସ୍ରାଏଲକୁ ଧମକାଇଛି।  ଆମେରିକୀୟ ଗୁପ୍ତଚର ଉପଗ୍ରହଦ୍ୱାରା ସଂଗ୍ରହ କରାଯାଇଥିବା ଫଟୋ ଏବଂ ସୂଚନାର ବିଶ୍ଳେଷଣ କରିଥିବା ନ୍ୟାସନାଲ ଜିଓସ୍ପେସିଆଲ-ଇଣ୍ଟେଲିଜେନ୍ସ ଏଜେନ୍ସି (ଏନ୍‌ଜିଏ)ରୁ ମିଳିଥିବା ଏହି ଦସ୍ତାବିଜଗୁଡ଼ିକ ଇସ୍ରାଏଲର ସାମରିକ ଅଭ୍ୟାସ ଏବଂ ସ୍ବତନ୍ତ୍ର ଅପରେସନ ପ୍ରସ୍ତୁତି ବିଷୟରେ ବିସ୍ତୃତ ସୂଚନା ରହିଛି। 

Advertisment

ଅକ୍ଟୋବର ୧୫ ଓ ୧୬ ତାରିଖର ଏହି ଦୁଇଟି ଦସ୍ତାବିଜକୁ ଟେଲିଗ୍ରାମରେ ମୁଖ୍ୟତଃ ଇରାନ ସମର୍ଥକ ଭାବନା ସହ ଜଡ଼ିତ ଆକାଉଣ୍ଟରେ ପ୍ରସାରିତ କରାଯାଇଥିଲା। ଇସ୍ରାଏଲ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ପାଇଁ କିଭଳି ପ୍ରସ୍ତୁତ ହେଉଛି ତାହା ସାମ୍ନାକୁ ଆସିବା ପରେ ମଧ୍ୟପ୍ରାଚ୍ୟ କୂଟନୀତି ସରଗରମ ହୋଇଛି ।  ଇରାନ ବିରୋଧରେ ଏକ ସମ୍ଭାବ୍ୟ ସାମରିକ ଅଭିଯାନ  ଖୁବ୍‌ଶୀଘ୍ର ଆରମ୍ଭ କରିବା ପାଇଁ ଇସ୍ରାଏଲ ବାୟୁସେନାର ପ୍ରସ୍ତୁତି ସଂକ୍ରାନ୍ତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏହି ପ୍ରସ୍ତୁତିଗୁଡ଼ିକ ମଧ୍ୟରେ  ଆକାଶରେ ଇନ୍ଧନ ଭର୍ତ୍ତି ଅଭିଯାନ, ସନ୍ଧାନ ଓ ଉଦ୍ଧାର ଅଭିଯାନ ଏବଂ  କ୍ଷେପଣାସ୍ତ୍ର ପ୍ରଣାଳୀର ପୁନଃ ଅବସ୍ଥାନ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି। ଦ୍ବିତୀୟ ଦସ୍ତାବିଜରେ ଯୁଦ୍ଧାସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ସମ୍ପତ୍ତିକୁ ରଣନୈତିକ  ସ୍ଥାନାନ୍ତର କରିବା ପାଇଁ ଇସ୍ରାଏଲର ପ୍ରୟାସ ବିଷୟରେ ଦର୍ଶାଯାଇଛି। 

ଆମେରିକାର ଗୁଇନ୍ଦା ତଥ୍ୟ ଲିକ୍: ଇସ୍ରାଏଲର ସାମରିକ ପ୍ରସ୍ତୁତି ପଦାକୁ ଆସିଲା

ଆମେରିକୀୟ ଗୁଇନ୍ଦା ସୂତ୍ରରୁ ଜଣାପଡୁଛି ଯେ ଇସ୍ରାଏଲ ଆକ୍ରମଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଏବଂ କୌଣସି ସାମରିକ ଅଭିଯାନ ଯେଭଳି ନିଷ୍ଫଳ ନହେବ ସେଥିପାଇଁ ସର୍ବାଧିକ ସତର୍କତାର ସହ ପଦକ୍ଷେପ ନେଉଛି। ତେବେ ଏହି ତଥ୍ୟ ପ୍ରଘଟ ଆମେରିକାର ଚିନ୍ତା ବଢ଼ାଇଥିବା କୁହାଯାଉଛି। ଆମେରିକୀୟ ଅଧିକାରୀମାନେ ଏଭଳି ଗୋପନୀୟ ତଥ୍ୟ ପ୍ରଘଟର ଗମ୍ଭୀରତାକୁ ନେଇ ବିଭାଜିତ ମତ ରଖିଥିବା ବେଳେ ମଧ୍ୟପ୍ରାଚ୍ୟ ସ୍ଥିତି ଏବେ ବିସ୍ଫୋରକ ବୋଲି ଅନେକ କୂଟନୀତିଜ୍ଞ କହିଛନ୍ତି। ନିକଟରେ ଜର୍ମାନୀ ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇରାନ ଉପରେ ଇସ୍ରାଏଲର  ଆକ୍ରମଣ ପ୍ରସ୍ତୁତି ବିଷୟରେ ଆପଣ ଅବଗତ ଅଛନ୍ତି କି ବୋଲି ପଚରାଯିବାରୁ ସେ ‘ହଁ’ ବୋଲି ସଂକ୍ଷିପ୍ତ ଉତ୍ତର ଦେଇଥିଲେ ଏବଂ ବିସ୍ତୃତ ଭାବେ କହିବାକୁ ମନା କରିଦେଇଥିଲେ। ‌ଏବେ ପ୍ରଘଟ ଦସ୍ତାବିଜ ନେଇ ଆମେରିକାର ସାମରିକ ବିଭାଗ, ବିଦେଶୀ ଗୁଇନ୍ଦା ଏଜେନ୍ସି ଏବଂ ଏଫ୍‌ବିଆଇର ମିଳିତ ତଦନ୍ତ ଆରମ୍ଭ ହୋଇଛି।