ହ୍ବାଇଟ୍‌ ହାଉସ୍ ଅଧିକାରୀଙ୍କ ସୂଚନା: ଚୀନ୍‌ ସହ ସଂଘର୍ଷ ହେଲେ ଆମେରିକୀୟ ସେନା ଭାରତକୁ ସହଯୋଗ କରିବ

ୱାସିଂଟନ୍: ଚୀନ୍ ସହିତ କିଂବା ଅନ୍ୟ କାହା ସହ ଭାରତର ସଂଘର୍ଷ ହେଲେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ଭାରତ ସହିତ ଯୋଗ ଦେବ ବୋଲି ଶୀର୍ଷସ୍ତରୀୟ ହ୍ବାଇଟ୍ ହାଉସ୍ ଅଧିକାରୀ ମାର୍କ ମିଡୋଜ୍ ସୋମବାର ଦିନ କହିଛନ୍ତି।

ଗତ ମାସରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ ଯୋଗୁଁ ଭାରତୀୟ ସୈନିକମାନେ ସହିଦ ହେବା କାରଣରୁ ଭାରତ ଚୀନ୍ର ଅନେକ ଆପ୍‌ ନିଷିଦ୍ଧ କରିଥିବା କଥା ତାଙ୍କୁ କୁହାଯାଇଥିଲା। ଏହାଛଡ଼ା ଦକ୍ଷିଣ ଚୀନ୍ ସାଗରରେ ‘ରୋନାଲ୍‌ଡ୍‌ ରିଗାନ୍’ ଏବଂ ‘ନିମିଜ୍’ ନାମକ ଦୁଇଟି ଲଢୁଆ ବିମାନବାହୀ ଯୁଦ୍ଧପୋତର ମିସନ୍ କ’ଣ ଏବଂ ଆମେରିକାର ମିସନ୍‌ କ’ଣ ବୋଲି ତାଙ୍କୁ ‘ଫକ୍ସ୍‌ ନିଉଜ୍‌’ ତରଫରୁ ପଚରା ଯାଇଥିଲା।

ହ୍ବାଇଟ୍‌ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡୋଜ୍ କହିଲେ, ଏ କଥା ସ୍ପଷ୍ଟ। ସେ ଅଞ୍ଚଳରେ ହେଉ କି, ଏଠାରେ ହେଉ, ଆମେ ନିରବଦ୍ରଷ୍ଟା ସାଜି ଚୀନ୍ କିଂବା ସବୁଠୁ ଶକ୍ତିଶାଳୀ, ଆଧିପତ୍ୟ ବିସ୍ତାରକାରୀ ବଳ ବୋଲାଉଥିବା ଅନ୍ୟ କାହାରିକୁ ରାଜୁତି କରାଇଦେବୁ ନାହିଁ। ଏବଂ ଏ କଥା ମଧ୍ୟ ସ୍ପଷ୍ଟ। ସେ ଭାରତ ଓ ଚୀନ୍ ମଧ୍ୟରେ ସଂଘର୍ଷ ହେଉ କି, ଅନ୍ୟ କେଉଁଠି ହେଉ, ଆମ ସେନା ସହଯୋଗ କରୁଛି ଏବଂ ସହଯୋଗ କରିଚାଲିବ।

ସମ୍ବନ୍ଧିତ ଖବର