ଯୁଦ୍ଧକୁ ମାସେ : ୟୁକ୍ରେନକୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଯୋଗାଇବ ନାଟୋ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆଜି ୧ ମାସ ପୂରଣ ହୋଇଛି । ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ପ୍ରାୟ ଏକ ମାସ ବିତିଯାଇଥିଲେ ବି ରୁଷ ନିଜର ଲକ୍ଷ୍ୟ ହାସଲ କରିପାରି ନାହିଁ । ଏଥିପାଇଁ ଦିନକୁ ଦିନ ରୁଷର ଆକ୍ରମଣ ଅଧିକ ଭୀଷଣ ହେଉଛି । ସେପଟେ ରୁଷର ମୁକାବିଲା ପାଇଁ ଆମେରିକା ଓ ନାଟୋ ପକ୍ଷରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି ।

ୟୁକ୍ରେନକୁ ଜାହାଜ ବିଧ୍ବଂସି କ୍ଷେପଣାସ୍ତ୍ର ଯୋଗାଇବାକୁ ଆମେରିକା ଓ ଏହାର ନାଟୋ ସହଯୋଗୀ ଦେଶମାନେ ବିଚାର କରୁଛନ୍ତି । କୃଷ୍ଣ ସାଗରରେ ଥିବା ରୁଷର ଯୁଦ୍ଧ ଜାହାଜମାନେ ୟୁକ୍ରେନର ବନ୍ଦର ଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥିବାବେଳେ ଏସବୁ ମିସାଇଲ ରୁଷର ଯୁଦ୍ଧ ଜାହାଜଗୁଡ଼ିକୁ ଅଟକାଇପାରିବ ।

ଅନ୍ୟପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଆଉ ୬୦୦୦ କ୍ଷେପଣାସ୍ତ୍ର ପ୍ରଦାନ କରିବ । ଏସବୁ କ୍ଷେପଣାସ୍ତ୍ର ମଧ୍ୟରେ ରହିବ ଷ୍ଟାରଷ୍ଟ୍ରେକ୍ ଆଣ୍ଟିଏୟାର ମିସାଇଲ । ଏହା ୟୁକ୍ରେନ ସେନାର କ୍ଷମତାକୁ ବୃଦ୍ଧି କରିପାରିବ । ପୂର୍ବରୁ ବ୍ରିଟେନ ୟୁକ୍ରେନକୁ ଏନଏଲଏଡବ୍ଲୁ ଓ ଜାଭେଲିନ ମିସାଇଲ ପ୍ରଦାନ କରିଥିଲା ।

ଆଉ ଏକ ଘଟଣାକ୍ରମେ ବ୍ରିଟେନ ରୁଷର ଆଉ ୫୯ଟି କମ୍ପାନି ଉପରେ କଟକଣା ଲଗାଇଛି । ଏହା ସହିତ ରୁଷ ଆମଦାନୀ ଉପରେ ୩୫ ପ୍ରତିଶତ ଶୁଳକ ଲଗାଇଛି ।

 

 

ସମ୍ବନ୍ଧିତ ଖବର