ଦାନ୍ଆଙ୍ଗ (ଭିଏତ୍ନାମ): ଭିଏତ୍ନାମ ଯୁଦ୍ଧ ପରେ ସର୍ବପ୍ରଥମ ଥର ପାଇଁ ଏକ ଆମେରିକୀୟ ବିମାନବାହୀ ଯୁଦ୍ଧ ଜାହାଜ ଭିଏତ୍ନାମ ଗସ୍ତରେ ଆସିବା ଘଟଣା ଏବେ ବିଶ୍ୱବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦକ୍ଷିଣ ଚୀନ୍ ମହାସାଗରରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ଚୀନ୍ର ଆଧିପତ୍ୟ ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ଉଭୟ ଦେଶର ଏହା ଏକ ମିଳିତ ପ୍ରୟାସ ବୋଲି ଆଲୋଚନା ହେଉଛି।
ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ସୋମବାର ଦିନ ୟୁଏସ୍ଏସ୍ କାର୍ଲ ଭିନ୍ସନ ନାମକ ଏକ ଯୁଦ୍ଧ ବିମାନବାହୀ ବିଧ୍ୱଂସକାରୀ ବିରଟକାୟ ଯୁଦ୍ଧ ଜାହଜ ୬ ହଜାରରୁ ଅଧିକ କ୍ରୁ ସଦସ୍ୟଙ୍କୁ ଧରି କେନ୍ଦ୍ରୀୟ ଭିଏତ୍ନାମର ଉପକୂଳ ସହର ଦାନ୍ଆଙ୍ଗ ତଟରେ ପହଞ୍ଚଛି। ଭିଏତ୍ନାମ ଯୁଦ୍ଧ ପରେ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରମାନେ କମ୍ୟୁନିଷ୍ଟ ଶାସକମାନଙ୍କ ଅଧୀନରେ ଏକତ୍ରିତ ହେବାପରେ ୧୯୭୫ ମସିହା ପରଠାରୁ ଆଉ କୌଣସି ଆମେରିକୀୟ ଯୁଦ୍ଧ ଜାହାଜ ଭିଏତନାମ ଗସ୍ତରେ ଆସି ନଥିଲା।
ତେବେ, ଭିଏତନାମର ସୀମା ମଧ୍ୟରେ ରହିଥିବା ପାର୍ସେଲ ଦ୍ୱୀପ ବ୍ୟତୀତ ଅନ୍ୟ ସାତଟି ଦ୍ୱୀପରେ ଚୀନ୍ ସଂପୂର୍ଣ୍ଣ ଏକଚାଟିଆ ଭାବେ ତା’ର ସାମରିକ ଗତିବିଧି ଓ କାର୍ଯ୍ୟକଳାପ ବଢ଼ାଇବାରେ ଲାଗିଥିବା ବେଳେ ଆମେରିକୀୟ ଯୁଦ୍ଧ ଜାହାଜର ଭିଏତ୍ନାମ ଗସ୍ତ ଚୀନ୍ ପାଇଁ ଏକ ବିରାଟ ଝଟ୍କା ସଦୃଶ ହୋଇଛି। କାରଣ, ଚୀନ୍ ଏବେ ଦକ୍ଷିଣ ଚୀନ୍ ମହାସାଗରର ବ୍ୟାପକ ଅଞ୍ଚଳକୁ ନିଜ କବ୍ଜାକୁ ନେବା ସହ ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ରହିଥିବା ଆମେରିକୀୟ ନୌବାହିନୀର ଦବ୍ଦବାକୁ ଏକ ରକମର ଚ୍ୟାଲେଞ୍ଜ ଦେଇଥିଲା।
‘ପୂର୍ବର ସମସ୍ତ ପ୍ରକାରର ଶତ୍ରୁତାକୁ ଭୁଲି ଉଭୟ ଦେଶ ମଧ୍ୟରେ ବନ୍ଧୁତା ସୃଷ୍ଟି ସହ ପାରସ୍ପରିକ ବିଶ୍ୱାସ ବୃଦ୍ଧି ଉଦ୍ଦେଶ୍ୟରେ ଆମେରିକୀୟ ଯୁଦ୍ଧ ଜାହଜ କାର୍ଲ ଭିନ୍ସନ ଭିଏତନାମ ଗସ୍ତରେ ଆସିଛି। ଏଥିସହ ଉଭୟ ଦେଶ ମଧ୍ୟରେ ସାମରିକ ସଂପର୍କକୁ ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ଆମେରିକୀୟ ନୌସେନାର କାର୍ଯ୍ୟକଳାପ ବୃଦ୍ଧି ଉଦ୍ଦେଶ୍ୟରେ କାର୍ଲ ଭିନ୍ସନ ଭିଏତନାମ ଗସ୍ତରେ ଆସିଛି। ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଗସ୍ତ। ଏବଂ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ’, ବୋଲି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲି ଥି ଥୁ ହାଙ୍ଗ କହିଛନ୍ତି।
ଭିଏତନାମ ଯୁଦ୍ଧ ପରେ ଉଭୟ ଦେଶ ମଧ୍ୟରେ ୧୯୯୫ ମସିହା ଠାରୁ ସୃଷ୍ଟି ହୋଇଥିବା ତିକ୍ତତାର ପରିସମାପ୍ତି ଘଟିଛି। ୧୦୧୬ରେ ଆମେରିକା ଭିଏତନାମ ଉପରେ ଲଗାଇଥିବା ସମସ୍ତ ପ୍ରତିବନ୍ଧକୁ ଉଠାଇ ନେବା ପରେ ଏବେ କାର୍ଲ ଭିନ୍ସନର ଭିଏତନାମ ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ମଜଭୂତ କରିବ ବୋଲି କହିଛନ୍ତି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲି ଥି ଥୁ ହାଙ୍ଗ। ତେବେ, ଆମେରିକା ଓ ଭିଏତନାମ ମଧ୍ୟରେ ଏପ୍ରକାରର ନୂତନ ବନ୍ଧୁତା ଏବେ ଚୀନ୍ ପାଇଁ ଚିନ୍ତାର କାରଣ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/vietnam-us-navy-visit_.jpg)