ଦକ୍ଷିଣ-ଚୀନ ସାଗରରେ ପୁଣି ପ୍ରବେଶ କଲା ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ

ନୂଆଦିଲ୍ଲୀ : ଦକ୍ଷିଣ ଚୀନ ସାଗରକୁ ପୁଣି ଫେରିଛି ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ ୟୁଏସଏସ ନିମିଜ ଓ ୟୁଏସଏସ ରୋନାଲ୍ଡ ରେଗାନ । ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆମେରିକାର ଏହି ଶକ୍ତିଶାଳୀ ଯୁଦ୍ଧପୋତ ଦକ୍ଷିଣ-ଚୀନ ସାଗରରେ ପ୍ରବେଶ କରିଛି ।
ଜୁଲାଇ ୪ରୁ ୬ ମଧ୍ୟରେ ଆମେରିକାର ଏହି ଦୁଇଟି ଯୁଦ୍ଧପୋତ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରି ଯୁଦ୍ଧାଭ୍ୟାସ କରିଥିଲା । ଅଳ୍ପ କିଛି ଦିନ ମଧ୍ୟରେ ଜାହାଜ ଦୁଇଟି ପୁଣି ଥରେ ଫେରିବା ସ୍ଥିତିର ଗୁରୁତ୍ୱକୁ ବଢାଇଦେଇଛି ।

କିଛିଦିନ ତଳେ ଆମେରିକା କହିଥିଲା ଯେ ଦକ୍ଷିଣ-ଚୀନ ସାଗର କାହାର ଏକଚାଟିଆ ସମ୍ପତ୍ତି ନୁହେଁ, ଏହା ଏକ ଅନ୍ତର୍ଜାତୀୟ ଜଳ କ୍ଷେତ୍ର । ଏଣୁ ଏହି ଅଞ୍ଚଳରେ ଥିବା ଦେଶଗୁଡ଼ିକର ସାର୍ବଭୌମତ୍ୱ ରକ୍ଷା ଓ ଜଳସୀମାର ସୁରକ୍ଷା ପାଇଁ ଆମେରିକା ଉଦ୍ୟମ କରିବ ।

ଚୀନ ଦକ୍ଷିଣଚୀନ ସାଗରକୁ ନିଜର ଅଞ୍ଚଳ ବୋଲି କହୁଛି ଓ ଏ ଅଞ୍ଚଳରେ ପ୍ରବେଶ ନ କରିବାକୁ ଆଖପାଖରେ ଥିବା ଦେଶମାନଙ୍କୁ ଧମକ ଦେଉଛି । ଏପରିକି ଗତ ଏପ୍ରିଲ ମାସରେ ଚୀନ ଭିଏତନାମର ଦୁଇଟି ମାଛଧରା ଜାହାଜକୁ ଆକ୍ରମଣ କରି ବୁଡ଼ାଇଦେଇଥିଲା ।

ଚୀନ ଏ ଅଞ୍ଚଳରେ ଆକ୍ରାମକ ବିସ୍ତାରବାଦୀ ନୀତି ଗ୍ରହଣ କରିଥିବାବେଳେ ଓଲଟି ଆମେରିକା ଉତ୍ତେଜନା ସୃଷ୍ଟି କରୁଛି ବୋଲି ବେଜିଂ ଅଭିଯୋଗ କରୁଛି ।

ସମ୍ବନ୍ଧିତ ଖବର